କୋଲକାତା ଏସଆରଏଫଟିଆଇକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଲେ ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଖଟୁଆ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଲା କୋଲକାତା ଏସଆରଏଫଟିଆଇ ଏବଂ ପୁନେ ଏଫଟିଆଇଆଇକୁ ।  ଏଥିପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଏସଆରଏଫଟିଆଇର ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଖଟୁଆ । ସେଥିପାଇଁ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନଷ୍ଟିଚ୍ୟୁଟ୍‌ରେ ଖୁସିର ବାତାବରଣ । ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି । ଶିକ୍ଷାନୁଷ୍ଠାନକୁ ମିଳିଛି ବିଶ୍ୱବିଦ୍ୟାଳୟ ମାନ୍ୟତା । ତେବେ ଏଥିପାଇଁ ମୁଖ୍ୟ ଶ୍ରେୟ ଯାଉଛି ଏସ୍‌ଆରଏଫ୍‌ଟିଆଇର ପୂର୍ବତନ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କୁ । ଭାରତର ସରକାରଙ୍କ ଦ୍ୱାରା ୬୦ ଦଶକରେ ପ୍ରଥମେ ଚଳଚ୍ଚିତ୍ର ପାଠ୍ୟକ୍ରମ ପୁନେ ଠାରେ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେହି ସମାନ ପାଠ୍ୟକ୍ରମ କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ବା ଏସଆରଏଫଟିଆଇରେ ଆରମ୍ଭ କରାଗଲା ।

ଏହି ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଚଳଚ୍ଚିତ୍ର ଶିକ୍ଷା ସମ୍ବନ୍ଧୀୟ ପାଠ୍ୟକ୍ରମ ପାଇଁ ଅନେକ ସୁନାମ ଅର୍ଜନ କରିଛନ୍ତି  ।  କିନ୍ତୁ ଦୁଃଖର ବିଷୟ ହେଉଛି କି ଏହି ଦୁଇ ଶିକ୍ଷାନୁଷ୍ଠାନକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳି ନଥିଲା ।  ତେବେ ଓଡ଼ିଶାର ସୁନାଧନ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏସ୍‌ଆରଏଫଟିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ନେଇ ଜୋରସୋର ଉଦ୍ୟମ ଆରମ୍ଭ କରିଥିଲେ ।  ଶ୍ରୀ ଖଟୁଆ ଯିଏକି ପୁନା ଫିଲ୍ମ ଇନଷ୍ଟିଚ୍ୟୁସନରେ ଶିକ୍ଷାଲାଭ କରିଥିଲେ  । ଏହା ସହିତ ରାଜ୍ୟରେ ବିଜୁପଟ୍ଟନାୟକ ଫିଲ୍ମ ଇନଷ୍ଟିଚ୍ୟୁସନ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରିବା ସହ ଅନେକ ପୁରସ୍କର ପ୍ରାପ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ଏସ୍‌ଆରଏଫଟିରେ ତାଙ୍କର ରହଣି କାଳରେ ସେ ବିଶ୍ୱଦ୍ୟାଳୟ ମାନ୍ୟତା ପାଇଁ ନିଷ୍ଠାର ସହ ପ୍ରକ୍ରିୟା ଆରମ୍ଭ କରିଥିଲେ  । ସାରା ଦେଶରେ ପ୍ରଚଳିତ ଚଳଚ୍ଚିତ୍ର ପାଠ୍ୟକ୍ରମରେ ସମାନତା ଆଣିବା, ଏଠାରୁ ମିଳୁଥିବା ଡିଗ୍ରୀକୁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ସହିତ ସମକକ୍ଷ କରିବା ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ପାଠ୍ୟକ୍ରମକୁ ନୂଆ ଦିଶା ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ଏକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସେମିନାର ଏସଆରଏଫଟିଆଇରେ ଆୟୋଜନ କରାଇଥିଲେ ।

ଏହି ସେମିନାରରେ ସାରା ଦେଶରୁ ବିଭିନ୍ନ ଚଳଚ୍ଚିତ୍ର ପାଠ୍ୟକ୍ରମ ପ୍ରଦାନ କରୁଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, ୟୁଜିସି ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଖସଡ଼ା ପ୍ରସ୍ତୁତ କରି ଉଦ୍ୟମକୁ ଆହୁରି ଜୋରଦାର କରାଯାଇଥିଲା । ଶେଷରେ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ୟୁଜିସି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛି ଏସ୍‌ଆରଏଫଟିଆଇ ଏବଂ ପୁନେ ଫିଲ୍ମ ଇନଷ୍ଟିଚ୍ୟୁସନକୁ । ମାନ୍ୟତା ପ୍ରଦାନ ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସମେତ ବୁଦ୍ଧିଜୀବୀ ଏବଂ ଶ୍ରୀ ଖଟୁଆ ଆନନ୍ଦ ପ୍ରକାଶ କରିଛନ୍ତି । ଏହା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନକୁ ସାକାର କରି ବଡ଼ ଉପଲବଧି ହାସଲ କରିଥିବା କେନ୍ଦ୍ର ମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି ଦୁଇ ଶିକ୍ଷାନୁଷ୍ଠାନ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛନ୍ତି ।