ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂଙ୍କ ଦେହାନ୍ତ, ଦୀର୍ଘ ଦିନରୁ ଥିଲେ ଅସୁସ୍ଥ

ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ନଟବର ସିଂଙ୍କ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ଦେହାନ୍ତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସମବେଦନା ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ନଟବର ସିଂ ଜଣେ ବିଶିଷ୍ଟ କଂଗ୍ରେସ କର୍ମୀ ଥିଲେ । ୧୯୩୧ରେ ରାଜସ୍ଥାନର ଭରତପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ନଟବର ସିଂ ଗ୍ୱାଲିଅରର ସିନ୍ଧିଆ ସ୍କୁଲ ଏବଂ ଅଜମେରର ମେୟୋ କଲେଜରୁ ଶିକ୍ଷା ସମାପ୍ତ କରିଥିଲେ ।

୨୦୦୪ ମେ’ରୁ ୨୦୦୫ ଡିସେମ୍ବର ପର୍ଯ୍ୟନ୍ତ ସେ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାରରେ ସିଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ । ୧୯୫୩ରେ ଭାରତୀୟ ବୈଦେଶିକ ସେବାରେ ସେ ମନୋନୀତ ହୋଇଥିଲେ । ୧୯୮୪ରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ସଦସ୍ୟ ଭାବରେ ନିର୍ବାଚନ ଲଢ଼ିବା ପାଇଁ ନଟବର ସିଂ ସେବାରୁ ଇସ୍ତଫା ଦେଇଥିଲେ । ସେ ନିର୍ବାଚନ ଜିତି ୧୯୮୯ ପର୍ଯ୍ୟନ୍ତ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ୨୦୦୪ରେ ତାଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ କରାଯାଇଥିଲା ।

୧୯୮୪ରେ ନଟବର ସିଂଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା । ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like