ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ୮୯ ବର୍ଷରେ ନିଧନ
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ୮୯ ବର୍ଷ ବୟସରେ ନିଧନ ହୋଇଛି । ଗୁରୁଗ୍ରାମସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚୌଟାଲା ଇଣ୍ଡିଆନ ନ୍ୟାସନାଲ ଲୋକଦଳ (ଆଇଏନଏଲଡି)ର ମୁଖ୍ୟ ଥିଲେ ।
ଓମପ୍ରକାଶ ଚୌଟାଲା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀଲାଲଙ୍କ ପୁଅ । ହରିୟାଣା ରାଜନୀତିରେ ସେ ଥିଲେ ଜଣେ ପ୍ରତିଷ୍ଠିତ ଚେହେରା । ତାଙ୍କର ଦୁଇ ପୁଅ ଏବଂ ତିନି ଝିଅ । ପୁଅ ଅଭୟ ସିଂ ଚୌଟାଲା ଓ ଅଜୟ ସିଂ ଚୌଟାଲା ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । ଓମପ୍ରକାଶ ଚୌଟାଲାଙ୍କ ନାତି ଦୁଷ୍ମନ୍ତ ଚୌଟାଲା ହରିୟାଣାର ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ ।
ଚୌଟାଲା ୧୯୮୯ ଡିସେମ୍ବର ୨ରୁ ୧୯୯୦ ମେ’ ୨୨, ୧୯୯୦ ଜୁଲାଇ ୧୨ରୁ ୧୭, ୧୯୯୧ ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ଏବଂ ପୁଣି ୧୯୯୯ ଜୁଲାଇ ୨୪ରୁ ୨୦୦୫ ମାର୍ଚ୍ଚ ୫ ପର୍ଯ୍ୟନ୍ତ ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲେ ।
ହରିୟାଣାରେ ୧୯୯୯-୨୦୦୦ ମସିହା ସମୟରେ ୩,୨୦୬ ଜୁନିୟର ବେସିକ୍ ଶିକ୍ଷକଙ୍କ ବେଆଇନ ନିଯୁକ୍ତିକୁ ନେଇ ତାଙ୍କ ବିରୋଧରେ ୨୦୦୮ ଜୁନରେ ଅଭିଯୋଗ ଦାଖଲ କରାଯାଇଥିଲା । ଏହା ପରେ ୨୦୧୩ ଜାନୁୟାରୀରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଏବଂ ତାଙ୍କ ପୁଅ ଅଜୟ ସିଂ ଚୌଟାଲାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସିବିଆଇ ଏହି ମାମଲାର ତଦନ୍ତ କରିଥିଲା । ଚୌଟାଲାଙ୍କ ଦଣ୍ଡକୁ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ ।
ଓମପ୍ରକାଶ ଚୌଟାଲା ନିଜର ୧୦ ବର୍ଷ କାରାଦଣ୍ଡରୁ ପାଖାପାଖି ସାଢ଼େ ୯ ବର୍ଷର ଦଣ୍ଡ ଭୋଗିବା ପରେ ୨୦୨୧ ଜୁଲାଇ ୨ରେ ତିହାର ଜେଲରୁ ମୁକ୍ତ ହୋଇଥିଲେ । ସରକାର କୋଭିଡ୍-୧୯ ମହାମାରୀ ସମୟରେ ଜେଲ୍ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କଏଦୀଙ୍କ ସଂଖ୍ୟା ହ୍ରାସ କରିଥିଲେ । ଏହି କାରଣରୁ ତାଙ୍କୁ ମଧ୍ୟ ମୁକ୍ତ କରାଯାଇଥିଲା ।