ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ବଡ଼ ଆଶ୍ୱସ୍ତି, ଏହି ମାମଲାରେ କୋର୍ଟ କଲେ ଦୋଷମୁକ୍ତ

ଲୋକପ୍ରିୟ ସିନେ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଗୁରୁବାର ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଦୋଷମୁକ୍ତ କରିଛନ୍ତି ।

ପୂର୍ବତନ ସାଂସଦ ଜୟାପ୍ରଦା ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକେଟ୍‌ରେ ରାମପୁରରୁ ନିର୍ବାଚନ ଲଢ଼ିଥିଲେ । ସେହି ସମୟରେ ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ରାମପୁରର କାମରୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ରାମପୁରର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା, ଯେଉଁଥିରେ କୋର୍ଟ ଆଜି ତାଙ୍କୁ ମୁକ୍ତ କରିଛନ୍ତି ।

କୋର୍ଟରୁ ଦୋଷମୁକ୍ତ ହେବା ପରେ ଜୟାପ୍ରଦା ଗଣମାଧ୍ୟମକୁ କହିଛନ୍ତି ଯେ ‘ମୁଁ କୋର୍ଟଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସେ ବୁଝିପାରିଲେ କି, ମୁଁ ଏମିତି କିଛି ଭୁଲ୍‌ କରିନାହିଁ । ବୁଝିବିଚାରି କୋର୍ଟ ମୋତେ ଦୋଷମୁକ୍ତ କରିଛନ୍ତି । ପ୍ରଥମରୁ ହିଁ କହୁଥିଲି ଯେ ମୁଁ ରାମପୁରରୁ ୨ ଥର ସାଂସଦ ଥିଲି । କେବେ ବି କାହା ଉପରେ ଭୁଲ୍‌ ଟିପ୍ପଣୀ କରିନାହିଁ । ମୁଁ ଜନସାଧାରଣଙ୍କୁ କହିବାକୁ ଚାହୁଁଛି ଯେ ସବୁବେଳେ ମୁଁ ରାମପୁରର ଏବଂ ରାମପୁର ସହିତ ରହିବି । ବିଜୟ ସବୁବେଳେ ସତ୍ୟର ହିଁ ହୋଇଥାଏ’ ।

ସୂଚନାଥାଉ କି, ଏହି ମାମଲା ୨୦୧୯ର । ବିଜେପି ଜୟାପ୍ରଦାଙ୍କୁ ଲୋକସଭା ନିର୍ବାଚନରେ ନିଜର ପ୍ରାର୍ଥୀ ଛିଡ଼ା କରାଇଥିଲା । ତାଙ୍କ ବିପକ୍ଷରେ ସମାଜବାଦୀ ପାର୍ଟିରୁ ଆଜମ୍‌ ଖାନ ପ୍ରାର୍ଥୀ ହୋଇଥିଲେ । ଅଭିଯୋଗ ଅନୁସାରେ, ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଜୟାପ୍ରଦା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିଲେ । ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ସେ ଏକ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହି ମାମଲା ଥାନାରେ ପହଞ୍ଚିଥିଲା ଏବଂ ଏ ନେଇ FIR ପଞ୍ଜିକୃତ ହୋଇଥିଲା । ବର୍ତ୍ତମାନ ତାଙ୍କୁ ଏହି ମାମଲାରେ କୋର୍ଟ ଦୋଷମୁକ୍ତ କରିଛନ୍ତି ।

You might also like