ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳାଙ୍କର କରୋନାରେ ମୃତ୍ୟୁ

ଦେଶରେ କରୋନା ଗ୍ରାଫ୍‌ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଅନେକ ଭିଭିଆଇପି ମଧ୍ୟ ଏହା କବଳରେ ଫସି ନିଜର ପ୍ରାଣ ହରାଇଥିବା ଦେଖାଯାଇଛି। ଏବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳାଙ୍କର କରୋନାରେ ନିଧନ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ରାୟପୁରର ରାମକୃଷ୍ଣ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ସେପଟେ କରୁଣାଙ୍କ ପରଲୋକରେ ସିଏମ୍‌ ଭୂପେଶ ବଘେଲ ଶୋକବ୍ୟକ୍ତ କରିଛନ୍ତି।

ଏ ନେଇ ବଘେଲ ଟ୍ଵିଟ୍‌ କରି ଲେଖିଛନ୍ତି, ‘ମୋ କରୁଣା ଚାଚି ଅର୍ଥାତ୍‌ କରୁଣା ଶୁକ୍ଳା ଜୀ ଆଉ ନାହାନ୍ତି। ନିଷ୍ଠୁର କରୋନା ତାଙ୍କୁ ବି ନେଇଗଲା। ରାଜନୀତି ବ୍ୟତୀତ ତାଙ୍କ ସହିତ ବହୁତ ଆତ୍ମୀୟ ପାରିବାରିକ ସମ୍ପର୍କ ରହିଥିଲା। ତାଙ୍କଠୁ ଆଶୀର୍ବାଦ ମୋତେ ମିଳୁଥିଲା। ଭଗବାନ ତାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ଆମ ସମସ୍ତଙ୍କୁ ସହିବା ଶକ୍ତି ପ୍ରଦାନ କରନ୍ତୁ’।

ସୂଚନା ରହିଛି, ପୂର୍ବତନ ସାଂସଦ କରୁଣା ଶୁକ୍ଳାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର ବଲୌଦାବାଜାରରେ ହେବ। କରୁଣା ଛତିଶଗଡ଼ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଥିଲେ। ସେ ବିଜେପିରେ ମଧ୍ୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସମେତ କେତେକ ବଡ଼ ପଦରେ ରହିଥିଲେ। କିନ୍ତୁ ୨୦୧୩ରେ କରୁଣା କଂଗ୍ରେସରେ ମିଶିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.