ଆଜି ମନମୋହନ ସିଂହଙ୍କ ଅନ୍ତିମ ସତ୍କାର, ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
ନୂଆଦିଲ୍ଲୀ : ଆଜି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର । ନିଗମବୋଧଘାଟରେ ତାଙ୍କର ଶେଷକୃତ୍ୟ କରାଯିବ । ସକାଳ ସାଢେ ୮ଟାରେ ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ଏଆଇସିସି ମୁଖ୍ୟାଳୟକୁ ନିଆଯିବ । ସେଠାରେ କଂଗ୍ରେସର ନେତା ଓ କର୍ମୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅନ୍ତିମ ବିଦାୟ ଜଣାଇବେ । ପରେ ସାଢେ ୯ଟାରୁ ଏଆଇସିସି ମୁଖ୍ୟାଳୟରୁ ଶ୍ମଶାନ ପର୍ଯ୍ୟନ୍ତ ଅନ୍ତିମ ଯାତ୍ରା ହେବ । ୧୧ଟା ୪୫ ରେ ଦିଲ୍ଲୀର ନିଗମବୋଧ୍ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ।
ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ବହୁ ବିଶିଷ୍ଟ ନେତା ଓ ବ୍ୟକ୍ତିବିଶେଷ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ମନମୋହନ ସିଂହଙ୍କୁ ହରାଇ ଦେଶ ଏକ ରତ୍ନ ହରାଇଥିବା ଦଳମତ ନିର୍ବିଶେଷରେ ସମସ୍ତେ କହିଛନ୍ତି । ମନମୋହନ ସିଂହଙ୍କ ବିୟୋଗରେ ସାତଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ଅବଦାନ ପାଇଁ ତାଙ୍କୁ ଦେଶ ଚିରକାଳ ମନେ ରଖିବ । ଗତ ଗୁରୁବାର ମନମୋହନ ସିଂହଙ୍କ ପରଲୋକ ହୋଇଥିଲା । ୯୨ ବର୍ଷ ବୟସରେ ନୂଆଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମନମୋହନ ।