କୋଲକାତା କାଣ୍ଡ: ୮ ଦିନିଆ ସିବିଆଇ ହେପାଜତକୁ ଗଲେ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ

କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ କୋର୍ଟରୁ ମିଳିଛି ବଡ଼ ଝଟ୍‌କା । ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । କୋର୍ଟ ଆଜି ତାଙ୍କୁ ୮ ଦିନିଆ ସିବିଆଇ ହେପାଜତକୁ ପଠାଇଛନ୍ତି । କୋର୍ଟରେ ୧୦ ଦିନର ହେପାଜତ ମାଗିଥିଲା ସିବିଆଇ । କିନ୍ତୁ କୋର୍ଟ ୮ ଦିନ ପାଇଁ ଅନୁମତି ଦେଇଛନ୍ତି ।

ଏଥି ସହିତ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଜଣେ ଅଭିଯୁକ୍ତ ଅଫସର ଅଲି ଖାନଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି । କହି ରଖୁଛୁ ଯେ ଅନେକ ଦିନର ପଚରାଉଚରା ପରେ ଗତକାଲି ସିବିଆଇ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା । ଏକ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ୧୫ରୁ ଅଧିକ ଦିନ ଧରି ପଚରାଉଚରା ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ସେପଟେ ଆଜି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଆଣିଛନ୍ତି ‘ଅପରାଜିତା ବିଲ୍’ । ଏହି ବିଲରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି । ବିତର୍କ ପାଇଁ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ ସରକାର । ବିଲରେ ୧୦ ଦିନ ମଧ୍ୟରେ ଦୁଷ୍କର୍ମକାରୀ ଦୋଷୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବା ପାଇଁ ପ୍ରାଧାନ୍ୟ ରହିଛି । ଏହାର ନାମ ‘ଅପରାଜିତା ଓମେନ୍ ଆଣ୍ଡ ଚାଇଲ୍ଡ ବିଲ-୨୦୨୪’ ରଖାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲକୁ ଐତିହାସିକ ବୋଲି କହିଛନ୍ତି ।