ପଶ୍ଚିମବଙ୍ଗର କେନାଲରୁ ମିଳିଲା ସିକ୍କିମ୍‌ର ନିଖୋଜ ପୂର୍ବତନ ମନ୍ତ୍ରୀ ଆରସୀ ପୌଡ୍ୟାଲଙ୍କ ମୃତଦେହ, ୯ ଦିନ ତଳୁ ଥିଲେ ନିଖୋଜ

ନିଖୋଜ ହେବାର ୯ ଦିନ ପରେ ମିଳିଛି ସିକ୍କିମ୍‌ର ପୂର୍ବତନ ମନ୍ତ୍ରୀ ଆରସୀ ପୌଡ୍ୟାଲ (୮୦)ଙ୍କ ମୃତଦେହ । ତାଙ୍କ ମୃତଦେହକୁ ବାଂଲାଦେଶ ସୀମା ତିସ୍ତା ନଦୀରୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗର ସିଲିଗୁଡ଼ି ନିକଟ ଫୁଲବାରୀର କେନାଲ୍‌ରୁ ମୃତଦେହ ମିଳିଛି । ନଦୀର ଉପର ମୁଣ୍ଡରୁ କେନାଲ୍‌କୁ ମୃତଦେହ ଭାସି ଆସିଥିବା ପୋଲିସ ସନ୍ଦେହ କରିଛି । ସେ ପିନ୍ଧିଥିବା ଘଣ୍ଟା ଓ ପୋଷାକରୁ ମୃତଦେହକୁ ଚିହ୍ନଟ କରାଯାଇଛି ।

ପୋଲିସ ମୁତାବକ, ସିକ୍କିମ୍‌ର ପୋକୟୋଙ୍ଗ୍‌ ଜିଲ୍ଲାରେ ନିଜ ହୋମ୍‌ଟାଉନ୍‌ ଛୋଟା ସିଙ୍ଗତାମରୁ ଆରସୀ ପୌଡ୍ୟାଲ ନିଖୋଜ ହୋଇଯାଇଥିଲେ । ଏହାପରେ ତାଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବ ବୋଲି ଏସ୍‌ଆଇଟି ଅଧିକାରୀ କହିଛନ୍ତି ।

ଆରସୀ ପୌଡ୍ୟାଲ ପୂର୍ବରୁ ସିକ୍କିମ୍‌ ବିଧାନସଭାରେ ଉପବାଚସ୍ପତି ଥିଲେ ଏବଂ ପରେ ସେ ରାଜ୍ୟର ଜଙ୍ଗଲ ମନ୍ତ୍ରୀ ହୋଇଥିଲେ । ପୌଡ୍ୟାଲ ରାଇଜିଙ୍ଗ୍‌ ସନ୍‌ ନାମକ ପାର୍ଟି ଗଠନ କରିଥିଲେ । ୭୦ ଏବଂ ୮୦ ଦଶକର ଶେଷ ଭାଗରେ ତାଙ୍କୁ ରାଜନୈତିକ ପରିଦୃଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଉଥିଲା ।

ସେପଟେ ତିସ୍ତା ନଦୀରୁ ପୌଡ୍ୟାଲଙ୍କ ମୃତଦେହ ମିଳିବା ପରେ ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପିଏସ୍‌ ତମାଙ୍ଗଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, ‘ମୁଁ ଆରସୀ ପୌଡ୍ୟାଲ ଜ୍ୟୁଙ୍କ ଆକସ୍ମିକ ନିଧନରେ ବହୁତ ଦୁଃଖିତ । ସେ ଜଣେ ପ୍ରତିଷ୍ଠିତ ରାଜନେତା ଥିଲେ । ମନ୍ତ୍ରୀ ସମେତ ବିଭିନ୍ନ ପଦରେ ସେ ସିକ୍କିମ୍‌ ସରକାରଙ୍କ ସେବା କରିଥିଲେ’ ।