ମହାରାଷ୍ଟ୍ରର ଅମ୍ରାବତୀରେ ଏକ ବସ୍ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଛି । ପାଖାପାଖି ୭୦ ଫୁଟ୍ ଗଭୀର ଖାଇରେ ପଡ଼ିଛି ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ମେଲଘାଟର ସୀମାଡୋହ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ମିଳିଥିବା ସୂଚନା ଅନୁସାରେ, ବସ୍ ଅମ୍ରାବତୀରୁ ଖଣ୍ଡୱା ଯାଉଥିଲା । ହଠାତ୍ ସୀମାଡୋହ ନିକଟରେ ବସ୍ଟି ଏକ କର୍ଲଭଟରୁ ପାଖାପାଖି ୬୦ରୁ ୭୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ବସରେ ପ୍ରାୟ ୫୦ରୁ ୫୫ ଜଣ ଯାତ୍ରୀ ଥିଲେ । ଡ୍ରାଇଭର ଜଣକ ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ ହିଁ ଲୋକମାନେ ସାହାଯ୍ୟ କରିବାରେ ଲାଗିପଡ଼ିଥିଲେ । ପରେ ଚିଖଲଡରା ପୋଲିସ ସହାୟତାରେ ଆହତମାନଙ୍କୁ ପରତୱାଡା ଏବଂ ଅମ୍ରାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ ଆଶଙ୍କା କରିଛି ।