ଶ୍ରାବଣ ପ୍ରଥମ ସୋମବାର ବିହାରରେ ଦୁଃଖଦ ଦୁର୍ଘଟଣା, ଗଙ୍ଗା ସ୍ନାନ କରିବାକୁ ଯାଇ ବୁଡ଼ିଗଲେ ୪ ସାଙ୍ଗ

ବିହାରର ଭାଗଲପୁରର ନବଗାଛିଆରେ ଘଟିଛି ଏକ ଦୁଃଖଦ ଦୁର୍ଘଟଣା । ଶ୍ରାବଣ ପ୍ରଥମ ସୋମବାର ଏଠାରେ ଗଙ୍ଗା ସ୍ନାନ କରିବାକୁ ଆସିଥିବା ୪ ଜଣ ସାଙ୍ଗ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ଯଦିଓ ସ୍ଥାନୀୟ ଲୋକମାନେ ନଦୀରେ ବୁଡ଼ି ଯାଉଥିବାର ଦେଖି ୩ ଜଣଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା । ୩ ଜଣଙ୍କ ମୃତଦେହକୁ ଗଙ୍ଗାରୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି ।

ମୃତକ ୪ ଜଣଙ୍କ ବୟସ ୧୫ରୁ ୨୦ ବର୍ଷ ମଧ୍ୟରେ ହେବ । ସମସ୍ତେ ନୟା ଟୋଲା ଗାଁର ବାସିନ୍ଦା ଥିଲେ । ଏଠାରୁ ୧୧ ଜଣିଆ ଏକ ଗ୍ରୁପ୍‌ ଶ୍ରାବଣ ପ୍ରଥମ ସୋମବାର ବୁଡ଼ ପକାଇବା ପାଇଁ ନିକଟସ୍ଥ ଘାଟକୁ ଆସିଥିଲେ । ଏହି ଘାଟ ବହୁତ ଶୁଭ ବୋଲି ବିଶ୍ୱାସ ରହିଛି ।

ନବଗାଛିଆ ଏସ୍‌ପି ପୂରଣ ଝା କହିଛନ୍ତି, ଗଙ୍ଗାରେ ବୁଡ଼ ପକାଇବା ସମୟରେ ୧୦ ଜଣ ପିଲା ନଦୀରେ ବୁଡ଼ିବାକୁ ଲାଗିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣ ସାଙ୍ଗ କିନ୍ତୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନେ ନିଜ ଜୀବନ ରକ୍ଷା କରିପାରି ନ ଥିଲେ । ଉଦ୍ଧାରକାରୀ ଦଳ ୩ ଜଣଙ୍କ ମୃତଦେହକୁ ନଦୀରୁ ବାହାର କରିବା ପରେ ପୋଲିସ ତାହାକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ନିଖୋଜ ଥିବା ଅନ୍ୟ ଜଣଙ୍କୁ ନଦୀରୁ ବାହାର କରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି ।