ପାକିସ୍ତାନରେ ପୁଣି ବିସ୍ଫୋରଣ, ମସଜିଦରେ ନମାଜ ପଢୁଥିବା ବେଳେ ବ୍ଲାଷ୍ଟ ହୋଇ ୪ ଆହତ

ପାକିସ୍ତାନର ଖୈବର ସ୍ଥିତ ଦକ୍ଷିଣ ୱାଜିରିସ୍ତାନର ଆଜମ ବର୍ସାକ ବଜାରରେ ଥିବା ଏକ ମସଜିଦରେ ବିସ୍ଫୋରଣ ହୋଇଛି । ଶୁକ୍ରବାର ଦିନ ନମାଜ ଚାଲିଥିବା ବେଳେ ବୋମା ବିସ୍ଫୋରଣ ହେବା ଯୋଗୁଁ ଜଣେ ବରିଷ୍ଠ ମୌଲବୀଙ୍କ ସହିତ ୪ ଜଣ ଆହତ ହୋଇଛନ୍ତି । ଗତ ୪ ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ତୃତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ । ତେବେ ଏହା ରିମୋଟ କଣ୍ଟ୍ରୋଲ ଧମାକା ବୋଲି କୁହାଯାଉଛି ।

ଜିଲ୍ଲା ପୋଲିସ ଅଧିକାରୀ ଆସିଫ୍ ବାହାଦାରଙ୍କ ସୂଚନା ଅନୁଯାୟୀ, ଆଜମ ୱାର୍ସାକ ବାଇପାସ୍ ରାସ୍ତାରେ ଥିବା ମୌଲାନା ଅବଦୁଲ ଅଜିଜ୍ ମସଜିଦରେ ଅପରାହ୍ନ ୧ଟା ୪୫ ମିନିଟ୍ ରେ ଏକ ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜମିୟତ ଉଲେମା ଇସଲାମ-ଫଜଲ (ଜେୟୁଆଇ)ର ଜିଲ୍ଲା ମୁଖ୍ୟ ଅବଦୁଲ୍ଲା ନଦୀମ ଗୁରୁତର ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତୁରନ୍ତ ଉଦ୍ଧାର କାମ ଆରମ୍ଭ କରିଥିଲା । ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଘଟଣା ସ୍ଥଳରେ ପ୍ରମାଣ ଏକାଠି କରୁଛି ପୋଲିସ । ତେବେ ମସଜିଦ ନିକଟରେ ବିସ୍ଫୋରଣ ରଖାଯାଇଥିଲା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ମସଜିଦରେ ନମାଜ ବେଳେ ବିସ୍ଫୋରଣ ଘଟଣା ବାରମ୍ବାର ଘଟିଚାଲିଛି । ଗତ ଫେବୃଆରୀ ୧୮ରେ ପାକିସ୍ତାନର ଖୈବର ପଖ୍ତୁନଖୱା ପ୍ରଦେଶର ଆଖୋରା ଖଟକ ଅଞ୍ଚଳରେ ଥିବା ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ଶୁକ୍ରବାର ନମାଜ ସମୟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ ।

Also Read : ରାଜକୋଟ ଆସଲାଣ୍ଟିକ୍ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ, ଅନେକ ଫସିଥିବା ଆଶଙ୍କା