ଇରାନରେ ହୋଇଛି ବଡ଼ ଧରଣର ଭୂକମ୍ପ । ଏଠାରେ ଘର ଦ୍ୱାର ଭାଙ୍ଗି ଚୁରମାର ହୋଇଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଭୂକମ୍ପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨୦ ଜଣ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ଥିବା ଜଣା ପଡ଼ିଛି ।
ଏହି ଭୂକମ୍ପ ରଜାଭି ଖୋରାସାନ ପ୍ରଦେଶର କାଶ୍ମୀର କାଉଣ୍ଟରରେ ଅନୁଭୂତ ହୋଇଥିଲା । ଭୂକମ୍ପ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ସନ୍ଧାନୀ କୁକୁରଙ୍କ ସହ ୫ ଟି ଟିମ୍ ଘଟଣାସ୍ଥଳକୁ ପଠାଇଛି । ଏହା ବ୍ୟତୀତ ପ୍ରାୟ ୬୦୦୦ ଲୋକଙ୍କୁ ରହିବା ପାଇଁ ତିନୋଟି ଜରୁରୀକାଳୀନ ଆଶ୍ରୟସ୍ଥଳ ମଧ୍ୟ ନିର୍ମାଣ କରାଯାଉଛି ।
ସୂଚନା ଅନୁଯାୟୀ ଭୂକମ୍ପରେ ଆହତ ହୋଇଥିବା ୩୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୂକମ୍ପ ଯୋଗୁଁ ସହରର କିଛି ବିଲ୍ଡିଂ ଭୁଶୁଡ଼ି ପଡ଼ିବା ସହ ଅନେକ ରାସ୍ତା ନଷ୍ଟ ହୋଇଯାଇଛି । ବର୍ତ୍ତମାନ ରିଲିଫ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରୁଛନ୍ତି ।
ତେବେ ଇରାନରେ ପ୍ରାୟତଃ ସବୁବେଳେ ଭୂକମ୍ପ ଅନୁଭୂତ ହୁଏ । ଏହା ପୂର୍ବରୁ ଗତ ବର୍ଷ ନଭେମ୍ବରରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୭.୩ ଥିଲା । ଏହି ଭୂକମ୍ପ ଯୋଗୁଁ ୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ ।
ତେବେ ଏହି ସ୍ଥାନରେ ବାରମ୍ବାର ଭୂକମ୍ପ ହେବା ପଛର କାରଣ ହେଉଛି ଏହି ସ୍ଥାନ ପୃଥିବୀର ଟେକ୍ଟୋନିକ୍ ପ୍ଲେଟ ଉପରେ ଅବସ୍ଥିତ । ଏହି ପ୍ଲେଟ ଗୁଡିକ ଲଗାତାର ଭାବେ ବଦଳୁଥାଆନ୍ତି ଏବଂ ବେଳେବେଳେ ପରସ୍ପର ସହିତ ଧକ୍କା ହୁଅନ୍ତି । ବାରମ୍ବାର ଧକ୍କା ହେବା ଫଳରେ ପ୍ଲେଟ ଗୁଡ଼ିକର କୋଣ ମୋଡ଼ିଯାଏ ଏବଂ ଭାଙ୍ଗିବାକୁ ଲାଗେ । ଏହା ପରେ ଭୂକମ୍ପ ଅନୁଭୂତ ହୋଇଥାଏ ।