ଚାରି ଅଭିଯୁକ୍ତଙ୍କୁ ଏପରି ସର୍ତ୍ତ ରଖି ଜାମିନ୍ ମଞ୍ଜୁର କଲେ ବିଚାରପତି, ଯାହା ଏବେ ସମାଜ ପାଇଁ ସୃଷ୍ଟି କରିଛି ଅନନ୍ୟ ଉଦାହରଣ

ଜୟପୁର: ରାଜସ୍ଥାନ ପ୍ରତାପଗଡ଼ ଜିଲ୍ଲାର ଜଣେ ବିଚାରପତି ଚାରିଜଣ ଅଭିଯୁକ୍ତଙ୍କୁ ଏମିତି ଏକ ସର୍ତ୍ତରେ ଜାମିନ ମଞ୍ଜୁର କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବଣରୁ ଗଛ କାଟିଥିବା ଚାରିଜଣ ଅଭିଯୁକ୍ତଙ୍କୁ କ୍ଷତିର ଭରଣା ପାଇଁ ୨୭୦ଟି ଅଁଳାଗଛ ଲଗାଇବେ ବୋଲି ସର୍ତ୍ତ ରଖି  ବିଚାରପତି ଜଣଙ୍କ ଚାରିଜଣ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଛନ୍ତି। ତେବେ କାଠ ଚୋରା ଚାଲାଣ କରିବାକୁ ମାର୍ଚ ୧୯ ତାରିଖ ରାତିରେ ଗାନ୍ଧେର ଠାରେ ଏହି ଚାରି ଅଭିଯୁକ୍ତ ୨୭ଟି ଖଇରା ଗଛ କାଟିଥିଲେ।

amla-plantsସୋମବାର ଜିଲ୍ଲା ଓ ସେସନ୍‌ ଜଜ୍‌ ରାଜେନ୍ଦ୍ର କୁମାର ଶର୍ମା ରାମଲାଲ୍‌ ତେଲି, ଯଶୋବନ୍ତ ଧୋବି, ଦିନେଶ ତେଲି ଏବଂ ମହମ୍ମଦ ହୁସେନ୍‌ଙ୍କୁ ଆଦେଶ ଦେଇ କହିଛନ୍ତି କି, ସେମାନେ ରୋପଣ କରିବାକୁ ଥିବା ଚାରାଗୁଡ଼ିକ ବଞ୍ଚିଛନ୍ତି ବୋଲି ପ୍ରତି ତିନି ମାସରେ ଥରେ ପ୍ରମାଣ ଦେବେ। ସୂଚନା ଅନୁଯାୟୀ ସେମାନେ ରୋପଣ କରିବାକୁ ଥିବା ଚାରାସଂଖ୍ୟା, କାଟି ଥିବା ଗଛ ସଂଖ୍ଯାର ୧୦ ଗୁଣ ଅଟେ ।୨୭୦ ଗଛ ବଞ୍ଚିଛି ବୋଲି ସେମାନେ ପ୍ରତି ତିନି ମାସରେ ଥରେ ଅଦାଲତରେ ପ୍ରମାଣ ଦେବା ସହିତ କୋର୍ଟର ବିନା ଅନୁମତିରେ ଏହି ଗଛଗୁଡ଼ିକୁ କଟାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।