ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥର ମଧ୍ୟ ରକ୍ଷାବନ୍ଧନ ଉତ୍ସବ ଅବସରରେ ରାଜ୍ୟର ମା’ ଓ ଭଉଣୀମାନଙ୍କ ପାଇଁ ବସ୍ ଯାତ୍ରା ମାଗଣା କରିଛନ୍ତି । ଅଗଷ୍ଟ ୧୮ ତାରିଖ ମଧ୍ୟରାତ୍ରି ୧୨ଟାରୁ ୧୯ ତାରିଖ ମଧ୍ୟରାତ୍ରି ୧୨ଟା ପର୍ଯ୍ୟନ୍ତ ମହିଳାମାନେ ରୋଡୱେଜ୍ ବସ୍ରେ ମାଗଣା ଯାତ୍ରା କରି ପାରିବେ । କହି ରଖୁଛୁ ଯେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକ ବର୍ଷ ରକ୍ଷାବନ୍ଧନ ଉତ୍ସବ ଅବସରରେ ମହିଳାମାନଙ୍କୁ ମାଗଣା ବସ୍ ଯାତ୍ରାର ଭେଟି ପ୍ରଦାନ କରି ଆସୁଛନ୍ତି ।
ମାଗଣା ବସ୍ ସେବା ୨୪ ଘଣ୍ଟା ପାଇଁ ଜାରି ରହିବ । ଏହି ସମୟରେ ମହିଳାମାନେ ସିଟି ବସ୍ କିମ୍ବା ପରିବହନ ନିଗମର କୌଣସି ବି ବସ୍ରେ ମାଗଣାରେ ଯାତ୍ରା କରି ପାରିବେ । ଯେପରି ରକ୍ଷାବନ୍ଧନରେ କେହି ବି ଭଉଣୀ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏଭଳି ଏକ ପଦକ୍ଷେପ ନେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିବହନ ବିଭାଗ ମଧ୍ୟ ସକ୍ରିୟ ହୋଇଉଠିଛି । ରକ୍ଷାବନ୍ଧନ ଉତ୍ସବକୁ ନଜରରେ ରଖି ସମଗ୍ର ରାଜ୍ୟରେ ଅତିରିକ୍ତ ବସ୍ ଚଳାଚଳ କରିବ । ଅଗଷ୍ଟ ୧୭ରୁ ୨୨ ମଧ୍ୟରେ ୧୦୦ଟି ରୋଡୱେଜ୍ ବସ୍କୁ ରାସ୍ତାକୁ ଛଡ଼ାଯିବ ।
ଗାଜିଆବାଦ, ଲକ୍ଷ୍ନୌ ଏବଂ କାନପୁର ରୁଟ୍ରେ ସର୍ବାଧିକ ସଂଖ୍ୟକ ବସ୍ ଚଳାଚଳ କରିବ । ଏହି ସମୟରେ ଅତିରିକ୍ତ ଡ୍ୟୁଟି କରୁଥିବା ଡ୍ରାଇଭର ଓ କଣ୍ଡକ୍ଟରମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ । ଦିନକୁ ୧୮୦୦ କିଲୋମିଟର ପର୍ଯ୍ୟନ୍ତ ବସ୍ ଚଳାଇବା ପାଇଁ ଡ୍ରାଇଭର ଓ କଣ୍ଡକ୍ଟର ୧୨୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ । ଏହାଠାରୁ ଅଧିକ ବସ୍ ଚଳାଇଲେ, କିଲୋମିଟର ପିଛା ୫୫ ପଇସା ହିସାବରେ ଅତିରିକ୍ତ ଦେୟ ପ୍ରଦାନ କରାଯିବ । ରକ୍ଷାବନ୍ଧନର ଦ୍ୱିତୀୟ ଦିନରେ ଲୋଡ୍ ଫ୍ୟାକ୍ଟର ଆକଳନ କରାଯାଇ ରୁଟ୍ରେ ବସ୍ ସଞ୍ଚାଳନ କରାଯିବ ।