ଦିଲ୍ଲୀ ୟୁନିଭର୍ସିଟି ଅଧ୍ୟକ୍ଷରୁ ମୁଖ୍ୟମନ୍ତ୍ରୀ ପଦ, ଜାଣନ୍ତୁ ରେଖା ଗୁପ୍ତା କିଏ?

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । କାଉନସିଲରରୁ ସିଏମ୍ । ପ୍ରଥମଥର ବିଧାୟିକାରୁ ସିଧା ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ନବମ ତଥା ଚତୁର୍ଥ ମହିଳା ସିଏମ୍ ରେଖା ଗୁପ୍ତା । ପ୍ରଥମ ଥର ବିଧାୟିକା ହୋଇ ବି ଅନେକ ନାମିଦାମୀ ରାଜନେତାଙ୍କୁ ପଛରେ ପକାଇ ଦିଲ୍ଲୀ ସିଂହାସନରେ ବସିବାକୁ ସକ୍ଷମ ହୋଇପାରିଛନ୍ତି । ରେଖା ଗୁପ୍ତା ଶାଲିମାରବାଗ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ୨୯ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦିଲ୍ଲୀ ରାଜନୀତିରେ ତାଙ୍କର ବେଶ ଦବଦବା ରହିଛି । ତେବେ ଆସନ୍ତୁ ଜାଣିବା କିଏ ଏହି ରେଖା ଗୁପ୍ତା?

ରେଖା ଗୁପ୍ତା ମୁଳତଃ ହରିୟାଣା ଜିନ୍ଦର ବାସିନ୍ଦା । ରେଖା ଗୁପ୍ତାଙ୍କ ଜନ୍ମ ୧୯୭୪ ମସିହାରେ ହରିୟାଣାର ଜିନ୍ଦ ଜିଲ୍ଲାର ନନ୍ଦଗଡ଼ ଗାଁରେ ହୋଇଥିଲା । ତାଙ୍କ ବାପା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଜଣେ ଅଧିକାରୀ ଥିଲେ । ୧୯୭୬ ମସିହାରେ ରେଖାଙ୍କ ବାପା ଜୟ ଭଗବାନ ଦିଲ୍ଲୀରେ ଚାକିରି ପାଇଯାଇଥିଲେ । ତେଣୁ ଯେତେବେଳେ ତାଙ୍କୁ ୨ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପୁରା ପରିବାର ଦିଲ୍ଲୀ ଚାଲିଆସିଥିଲେ । ରେଖା ଗୁପ୍ତା ଦିଲ୍ଲୀରେ ତାଙ୍କର ସ୍କୁଲ ଶିକ୍ଷା ଏବଂ ସ୍ନାତକ ସମାପ୍ତ କରିଥିଲେ । ୧୯୯୮ ମସିହାରେ, ସେ ମନୀଷ ଗୁପ୍ତାଙ୍କୁ ବିବାହ କରିଥିଲେ, ଯିଏ ଏକ ସେୟାର ପାର୍ଟସ୍ ବ୍ୟବସାୟ ଚଳାଉଛନ୍ତି ।

ରେଖା ଗୁପ୍ତା ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ତାଙ୍କର ସ୍ନାତକ ସମାପ୍ତ କରିଛନ୍ତି । ସେ ଦୌଲତ ରାମ କଲେଜରୁ ବି.କମ୍ କରିଥିଲେ । ଏହା ପରେ, ୨୦୨୨ ମସିହାରେ, ସେ ମେରଠର ପ୍ରସିଦ୍ଧ ଚୌଧୁରୀ ଚରଣ ସିଂହ ବିଶ୍ବବିଦ୍ୟାଳୟରୁ LLB ଡିଗ୍ରୀ ହାସଲ କରିଥିଲେ । ପିଲାଟି ଦିନରୁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଅର୍ଥାତ RSSର ଜଣେ ସକ୍ରିୟ ସଦସ୍ୟ ଥିଲେ । ସେ ସଂଗଠନର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ‌(ABVP) ମାଧ୍ୟମରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୪-୯୫ ମସିହାରେ ସେ ଦୌଲତ ରାମ କଲେଜର ସଚିବ ଭାବରେ ନିର୍ବାଚିତ ହୋଇଥିଲେ ।

ଏହା ପରେ, ସେ ୧୯୯୫-୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଚିବ ହୋଇଥିଲେ । ରେଖା ଗୁପ୍ତା ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବରେ ରାଜନୀତିରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ରେଖା ପେଶାରେ ଜଣେ ଓକିଲ । ଏହା ପୂର୍ବରୁ ସେ ଜଣେ କାଉନସିଲର ମଧ୍ୟ ଥିଲେ । ଦିଲ୍ଲୀ ବିଜେପିର ମହାସଚିବ ଓ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ରେଖା ଗୁପ୍ତା ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

୨୦୦୭ରେ ନର୍ଥ ପିତାମପୁରାରୁ କାଉନସିଲର ଭାବେ ନିର୍ବାଚିତ ହେବା ପରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ୩ ଦଶନ୍ଧି ଧରି ସେ ବିଜେପି ସହ ସଂଶ୍ଳିଷ୍ଟ ଅଛନ୍ତି । ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ୩ ଥର କାଉନସିଲର ନିର୍ବାଚିତ ହୋଇଛନ୍ତି । ପରେ ସେ ପୌର ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୦୭ ମସିହାରେ ଉତ୍ତର ପିତାମପୁରାରୁ ଦିଲ୍ଲୀ କାଉନସିଲର ନିର୍ବାଚନରେ ବିଜୟୀ ହୋଇଥିଲେ । ରେଖା ଗୁପ୍ତା ୨୦୦୩-୨୦୦୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଦିଲ୍ଲୀର ସଚିବ ଥିଲେ ।

୨୦୦୪-୨୦୦୬ ମଧ୍ୟରେ ସେ ଯୁବମୋର୍ଚ୍ଚାର ଜାତୀୟ ସମ୍ପାଦକ ପଦରେ ରହିଥିଲେ । ଏପ୍ରିଲ ୨୦୦୭ରେ, ସେ ବିଜେପି ଟିକେଟରେ ଉତ୍ତର ପିତାମପୁରା ୱାର୍ଡରୁ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ନଗର ନିଗମରେ କାଉନସିଲର ହେବା ପରେ, ତାଙ୍କୁ ୨୦୦୭-୨୦୦୯ ପର୍ଯ୍ୟନ୍ତ ମହିଳା କଲ୍ୟାଣ ଏବଂ ଶିଶୁ ବିକାଶ କମିଟିର ଅଧ୍ୟକ୍ଷା ଦାୟିତ୍ବ ଦିଆଯାଇଥିଲା । ମାର୍ଚ୍ଚ ୨୦୧୦ରେ ତାଙ୍କୁ ବିଜେପିର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ କରାଯାଇଥିଲା ।

ବର୍ତ୍ତମାନ ସେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି । ଏହା ବ୍ୟତୀତ ସେ ଶାଲିମାର ବାଗ ୱାର୍ଡରୁ କାଉନସିଲର ମଧ୍ୟ ରହିସାରିଛନ୍ତି । ରେଖା ଗୁପ୍ତାଙ୍କ ନାଁ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ରେଖାଗୁପ୍ତା । ତାଙ୍କ କାହାଣୀ ପ୍ରତି ମହିଳାଙ୍କ ପାଇଁ ପ୍ରେରଣାଦାୟୀ ହେବ ନିଶ୍ଚୟ ।