ପାର୍ଲାମେଣ୍ଟରୁ ବିଧାନସଭା ସବୁଠି ଅଧିରଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼, ସେ କ୍ଷମା ମାଗି ସାରିଛନ୍ତି ବୋଲି କହିଲେ ସୋନିଆ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ତୀବ୍ର ବିରୋଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ମନ୍ତବ୍ୟ ଦେଇଥିଲେ ଅଧିର ରଞ୍ଜନ ଚୌଧୁରୀ । ପାର୍ଲାମେଣ୍ଟରୁ ବିଧାନସଭା ସବୁଠି ଅଧିରଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼। ସଂସଦରେ ଏହାକୁ ତୀବ୍ର ବିରୋଧ କରାଯାଇଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ପାଇଁ ସୋନିଆ ଗାନ୍ଧି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।
ସଂସଦର ଉଭୟ ଗୃହରେ ଏହାକୁ ନେଇ ପ୍ରବଳ ହୋହଲ୍ଲା ହୋଇଥିଲା। ଫଳରେ ସଂସଦ ବାରମ୍ବାର ମୁଲତବୀ ହୋଇଥିଲା। ବିଜେପିର ସାଂସଦ ମାନେ ସଂସଦ ଆଗରେ ପ୍ଲାକାର୍ଡ ଧରି ଅଧିରଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ସେପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରତିକ୍ରିୟା ରଖି କହିଛନ୍ତି, ଭୁଲବଶତଃ ଅଧିରଙ୍କ ପାଟିରୁ ଏଭଳି ଶବ୍ଦ ବାହାରିଥିଲା। ଏଥିପାଇଁ ସେ କ୍ଷମା ମାଗି ସାରିଛନ୍ତି ବୋଲି କହିଛନ୍ତି ସୋନିଆ।