ଖାଇକୁ ଖସିଲା ଫଳ ବୋଝେଇ ଟ୍ରକ, ଚାଲିଗଲା ୧୦ ଜୀବନ, ୧୫ ଆହତ

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ୟାଲାପୁରା ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁଲାପୁରାରେ ଫଳ ବୋଝେଇ ଟ୍ରକ ଅନିୟନ୍ତ୍ରିତ ହରାଇ ଏକ ଟ୍ରିପର ସହିତ ଧକ୍କା ହୋଇଥିଲା । ଫଳରେ ୧୦ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଘଟଣା ସକାଳ ୪ଟାରେ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଫଳ ବୋଝେଇ ଟ୍ରକ ଅନିୟନ୍ତ୍ରିତ ହୋଇ ୫୦ ମିଟର ଖାଇକୁ ଖସିପଡିଥିଲା । ଫଳରେ ଏଥିରେ ଥିବା ୧୦ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହୁବଲୀର କିମସ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସମସ୍ତ ଲୋକ ଫଳ ବିକ୍ରେତା, ସାବନୁରରୁ ଫଳ ବିକିବା ପାଇଁ ୟାଲାପୁରା ମେଳାକୁ ଯାଉଥିଲେ । ଦୁର୍ଘଟଣା ଜଙ୍ଗଲ ଅଞ୍ଚଳରେ ହୋଇଛି ବୋଲି ଉତ୍ତର କନ୍ନଡ ପୋଲିସ ଅଧିକ୍ଷକ ଏମ ନାରାୟଣ କହିଛନ୍ତି ।

ଭୋର ୪ଟା ସମୟରେ ପରିବା ବୋଝେଇ ଟ୍ରକ ଚାଳକ ଅନ୍ୟ ଗାଡିକୁ ସାଇଡ ଦେବା ପାଇଁ ପୁରା ବାମ ଆଡକୁ ମାଡି ଯାଇଥିଲା । ଏହାପରେ ୫୦ ମିଟର ଗଭୀର ଖାଇକୁ ଖସିପଡିଥିଲା । ରାସ୍ତା କଡ଼ରେ କୌଣସି ସୁରକ୍ଷା ବାଡ଼ ନଥିବାରୁ ସବୁ ତଳକୁ ଖସି ପଡିଥିଲେ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ପୁଣେର ନାରାୟଣଗାଁ ଅଞ୍ଚଳରେ ଦ୍ରୁତଗାମୀ ଟ୍ରକ୍ ଏକ କାରକୁ ଧକ୍କା ଦେବା ପରେ କାରଟି ସେଠାରେ ଛିଡ଼ା ହୋଇଥିବା ଏକ ବସ୍ ସହ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣା ପୁଣେ-ନାସିକ ରାଜପଥରେ ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ଘଟିଥିଲା । ଦୁର୍ଘଟଣାରେ ୪ ମହିଳା, ୪ ପୁରୁଷ ଓ ଜଣେ ଶିଶୁର ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ୩ ଜଣ ଆହତ ହୋଇଥିଲେ ।

Also Read : ତୁର୍କୀର ରିସୋର୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟଣା : ମୃତ୍ୟୁ ସଂଖ୍ୟା ୭୬କୁ ବୃଦ୍ଧି, ୫୧ ଆହତ

You might also like