ପ୍ୟାକେଟ୍ ଖାଦ୍ୟ ପାଇଁ ନୂଆ ନିୟମ, କମ୍ପାନୀକୁ ବଡ଼ ଅକ୍ଷରରେ ଲେଖିବାକୁ ପଡ଼ିବ ‘ଲୁଣ ଓ ଚିନି’ର ମାତ୍ରା

ପ୍ୟାକେଟ୍ ଫୁଡ୍କୁ ନେଇ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ର ନୂଆ ନିୟମ । ପ୍ୟାକେଟ୍ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା କମ୍ପାନୀଗୁଡ଼ିକ ପାଇଁ FSSAI ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି । ପ୍ୟାକେଟ୍ ଖାଦ୍ୟ ପଦାର୍ଥରେ କେତେ ରହିଛି ଲୁଣ, ଚିନି ଓ ଫ୍ୟାଟ୍ର ମାତ୍ରା, ସେ ସମ୍ପର୍କରେ ବୋଲ୍ଡ ଏବଂ ବଡ଼ ଅକ୍ଷରରେ ସୂଚନା ଛାପିବା ବାଧ୍ୟତାମୂଳକ କରାଯିବ ।
ଏ ନେଇ ଜୁଲାଇ ୬ରେ ବୈଠକ ବସିଥିଲା । ସେଥିରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ, ବର୍ତ୍ତମାନ ପ୍ୟାକେଟ୍ ଖାଦ୍ୟରେ ପୋଷଣ ସମ୍ବନ୍ଧୀୟ ସମସ୍ତ ସୂଚନା ଯେପରି ଲୁଣ, ଚିନି ଆଦିକୁ ସଠିକ୍ ଭାବରେ ଲେବେଲିଂ କରିବା ଜରୁରୀ । ଖାଦ୍ୟ ପଦାର୍ଥରେ ପୋଷଣ ସମ୍ବନ୍ଧୀୟ ସୂଚନାକୁ ବୋଲ୍ଡ ଏବଂ ବଡ଼ ଅକ୍ଷରରେ କମ୍ପାନୀକୁ ଛାପିବାକୁ ପଡ଼ିବ ।
ଏଥିପାଇଁ FSSAI ଦ୍ୱାରା ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ । ଏହି ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କଠାରୁ ପ୍ରସ୍ତାବର ଅନୁମୋଦନ ନିଆଯିବ । ଖାଦ୍ୟ ନିୟାମକ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରି ସମସ୍ତ ପକ୍ଷଙ୍କ ଠାରୁ ପରାମର୍ଶ ଲୋଡ଼ିବେ । ସମସ୍ତ ପରାମର୍ଶ ମଧ୍ୟରୁ କେତେକକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ।
FSSAI ଏହାର ୪୪ତମ ବୈଠକରେ ଅଧ୍ୟକ୍ଷ ଅପୂର୍ବ ଚନ୍ଦ୍ରାଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନେଇଛି । ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯାଉଛି । ଏହା ଦ୍ୱାରା ଗ୍ରାହକମାନେ ଯେକୌଣସି ଖାଦ୍ୟ ପଦାର୍ଥରେ ରହିଥିବା ପୋଷଣ ସମ୍ବନ୍ଧୀୟ ସୂଚନା ବିଷୟରେ ସହଜରେ ଜାଣି ପାରିବେ ।
ଗତ କିଛି ମାସ ଧରି ପ୍ୟାକେଟ୍ ଖାଦ୍ୟ ପଦାର୍ଥରେ ଲୁଣ ଓ ଚିନିର ମାତ୍ରାକୁ ନେଇ ବିବାଦ ଲାଗି ରହିଥିଲା । କମ୍ପାନୀଗୁଡ଼ିକ ପ୍ୟାକେଟ୍ ଫୁଡ୍ ଉପରେ ଚିନି, ଲୁଣ ଓ ଫ୍ୟାଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ବୋଲ୍ଡ ଅକ୍ଷରରେ ଉଲ୍ଲେଖ କରିବାକୁ ନେଇ ଦାବି ହୋଇ ଆସୁଥିଲା ।