କ୍ରେନ୍‌ରୁ ଖସି ଖଣ୍ଡ ଖଣ୍ଡ ହେଲା ଗଣେଶଙ୍କ ମୂର୍ତ୍ତି, ବିସର୍ଜନ ବେଳେ ରାୟପୁରରେ ଜୋର୍‌ଦାର ହଙ୍ଗାମା

ଗଣେଶ ବିସର୍ଜନ ବେଳେ ଘଟିଲା ବଡ଼ ଦୁର୍ଘଟଣା । ଛତିଶଗଡ଼ର ରାୟପୁରରେ ବିସର୍ଜନ ଚାଲିଥିବା ବେଳେ କ୍ରେନ୍‌ରୁ ଖସିପଡ଼ି ଖଣ୍ଡବିଖଣ୍ଡିତ ହୋଇଗଲା ଗଣେଶଙ୍କ ମୂର୍ତ୍ତି, ଯାହାକୁ ନେଇ ଦେଖାଦେଲା ପ୍ରବଳ ଉତ୍ତେଜନା । ଏହି ଘଟଣାକୁ ନେଇ କ୍ରୋଧିତ ପୂଜା କମିଟିର ସଦସ୍ୟମାନେ ହୋହଲ୍ଲା ଓ ହଙ୍ଗାମା କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୋଲିସ ଅଧିକାରୀମାନେ ପହଞ୍ଚିଥିଲେ । ଏ ନେଇ ସ୍ଥାନୀୟ ଡିଡି ନଗର ଥାନାରେ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ମୁତାବକ, କୋଟାର ଆଦର୍ଶ ଗଣେଶ ଉତ୍ସବ କମିଟିର ସଦସ୍ୟମାନେ ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଏଠାକୁ ଆସିଥିଲେ । ମୂର୍ତ୍ତିକୁ କ୍ରେନ୍‌ ଦ୍ୱାରା ଉଠାଇ ଜଳକୁଣ୍ଡର ପ୍ଲାଟଫର୍ମରେ ରଖାଯାଉଥିଲା । ହେଲେ ଏହି ସମୟରେ କ୍ରେନ୍‌ରୁ ମୂର୍ତ୍ତି ଖସି ପଡ଼ିଥିଲା ଏବଂ ତଳେ ପଡ଼ି ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଘଟଣାକୁ ନେଇ ସେଠାରେ ଉପସ୍ଥିତ କମିଟିର ସଦସ୍ୟମାନେ କ୍ରୋଧିତ ହୋଇ ନଗର ନିଗମ ପ୍ରଶାସନ ବିରୋଧରେ ପ୍ରବଳ ହଙ୍ଗାମା କରିଥିଲେ ।

ଗଣେଶ ଉତ୍ସବ କମିଟିର ସଚିବ ରୋହିତ ହରପାଲ ଏହି ଘଟଣାକୁ ନେଇ ନିଗମ ଉପରେ ଅବହେଳାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଜଳକୁଣ୍ଡରେ ମୂର୍ତ୍ତି ବିସର୍ଜନ କରାଉଥିବା କର୍ମଚାରୀମାନେ ନିଶାପାନ କରି ଡ୍ୟୁଟି କରୁଥିଲେ । ସେମାନଙ୍କୁ କ’ଣ କରିବାର ଅଛି ଏବଂ ସେମାନେ କ’ଣ କରିବାକୁ ଯାଉଛନ୍ତି, ତାହା ଜାଣିପାରୁ ନ ଥିଲେ ।

ରୋହିତ ହରପାଲ ଅଭିଯୋଗରେ କହିଛନ୍ତି, ମୂର୍ତ୍ତିକୁ କ୍ରେନ୍‌ରେ ଉଠାଇବା ପାଇଁ ଯେତେବେଳେ ପଟ୍ଟା ଲଗାଯାଉଥିଲା, ସେତେବେଳେ ଆମ କର୍ମୀମାନେ ପଟ୍ଟା ଢିଲା ଲଗାଯାଉଛି ବୋଲି କହିଥିଲେ । ଏହାସତ୍ତ୍ୱେ କ୍ରେନ୍‌ ଚାଳକ ଆମ କଥା ଶୁଣି ନ ଥିଲେ ଏବଂ ମୂର୍ତ୍ତିକୁ ଅବହେଳା ପୂର୍ବକ ଖସାଇ ଦେଇଥିଲେ ।

You might also like