ସ୍କୁଲ ଯାଉଥିବା ବେଳେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ; ବସ୍‌ଷ୍ଟାଣ୍ଡରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

ଉତ୍ତର ପ୍ରଦେଶର ଏଟା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍କୁଲ ଯାଉଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ଏହାପରେ ଦୁର୍ବୃତ୍ତମାନେ ପୀଡ଼ିତାଙ୍କୁ ଏକ ବସ୍‌ ଷ୍ଟାଣ୍ଡ ନିକଟରେ ଫିଙ୍ଗି ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ଘଟିଛି ବୁଧବାର ସକାଳ ପ୍ରାୟ ୯ଟା ୩୦ରେ। ମିଳିଥିବା ସୂଚନା ମୁତାବକ, ଦଶମ ଶ୍ରେଣୀର ଜଣେ ଛାତ୍ରୀ ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ରାସ୍ତାରେ କାର୍‌ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ସଙ୍ଗମ ବିହାର ନେଇଯାଇଥିଲେ। ସେଠାରେ ସାରା ରାତି ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ବିରୋଧ କରିବାରୁ ସେମାନେ ତାଙ୍କୁ ନିର୍ଯାତନା ଦେଇଥିଲେ।

କେବଳ ଏତିକି ନୁହେଁ, ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ପରଦିନ ସକାଳେ ସେହି ଅବସ୍ଥାରେ ନିକଟସ୍ଥ ଏକ ବସ୍‌ ଷ୍ଟାଣ୍ଡ ପାଖରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଏଠାରୁ ଛାତ୍ରୀ ଜଣକ କୌଣସି ବି ପ୍ରକାରେ ବସ୍‌ରେ ବସି ଘରକୁ ଫେରିଥିଲେ। ତାଙ୍କ ପାଖରେ ଟିକେଟ୍‌ ପାଇଁ ପଇସା ନ ଥିଲା, ତେଣୁ ଯାତ୍ରୀମାନେ ପଇସା ଚାନ୍ଦା କରି ତାଙ୍କୁ ଟିକେଟ୍‌ ଦେଇଥିଲେ।

ଏଟାରେ ପହଞ୍ଚିବା ପରେ ଛାତ୍ରୀ ଜଣକ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ। ସେଠାରୁ କିଛି ଲୋକ ସକାଳ ୧୧ଟାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିଲେ। ଛାତ୍ରୀଙ୍କ ଶରୀରରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି କି, ତାଙ୍କୁ କୌଣସି ବି ପ୍ରକାରେ ନିର୍ଯାତନା ଦିଆଯାଇଛି। ପୋଲିସ ଏହି ମାମଲାର ତଦନ୍ତ କରୁଛି।