ଦିଲ୍ଲୀ ତିହାର ଜେଲ୍‌ରେ ଗ୍ୟାଙ୍ଗଓ୍ଵାର୍‌, ଜଣେ କଏଦୀଙ୍କୁ ଛୁରାମାଡ଼

ଦିଲ୍ଲୀର ତିହାର ଜେଲରେ ପୁଣି ଏକ ଗ୍ୟାଙ୍ଗଓ୍ଵାର ଘଟଣା ଘଟିଛି । ଦୁଇ ଗ୍ୟାଙ୍ଗ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଜଣେ କଏଦୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଛୁରାମାଡ଼ ହୋଇଛି । ତିହାର ଜେଲରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ପୋଲିସ କହିଛି ।

ପୋଲିସ ସୂଚନା ମୁତାବକ, ଗୋଗି ଏବଂ ଟିଲୁ ଗ୍ୟାଙ୍ଗର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଜଣେ କଏଦୀଙ୍କୁ ଛୁରାମାଡ଼ କରାଯାଇଛି, ଯିଏ କି, ଏକ ହତ୍ୟା ଉଦ୍ୟମ ମାମଲାରେ ବିଚାରାଧୀନ କଏଦୀ ଅଛନ୍ତି । ତାଙ୍କୁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଏହି ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ ବୁଧବାର ସକାଳ ପ୍ରାୟ ୧୧ଟା ୧୫ରେ ଗୋଗି ଗ୍ୟାଙ୍ଗର ସଦସ୍ୟ ହିତେଶ ଏବଂ ଟିଲୁ ତାଜପୁରିଆ ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ କଏଦୀ ହିତେଶଙ୍କୁ ବରଫ କଟର ଭଳି ଅସ୍ତ୍ରରେ ଭୁସି ଦିଆଯାଇଥିଲା ।

ଡେପୁଟି କମିଶନର ଅଫ୍ ପୋଲିସ୍ (ପଶ୍ଚିମ) ବିଚିତ୍ର ବୀର କହିଛନ୍ତି, ହିତେଶଙ୍କ ଉପରେ ଆକ୍ରମଣକାରୀ ଦୁଇ ଜଣଙ୍କ ନାମ ଗୌରବ ଓ ଗୁରିନ୍ଦର । ଆକ୍ରମଣକାରୀଙ୍କ ପରିଚୟ ନିଶ୍ଚିତ କରିବା ତଦନ୍ତର ବିଷୟ । ହିତେଶଙ୍କୁ ଆଘାତ ଲାଗିଛି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ ୨୦୧୯ରୁ ହିତେଶ ଜେଲରେ ଅଛନ୍ତି । ଗୌରବ ଓ ଗୁରିନ୍ଦରଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲାରେ ମକଦ୍ଦମା ଚାଲିଛି । ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୦୭ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ।

କହି ରଖୁଛୁ ଯେ ଗତ ବର୍ଷ ମେ’ ମାସରେ ଏହି ଜେଲରେ ହିଁ ଗ୍ୟାଙ୍ଗଷ୍ଟର ତାଜପୁରିଆଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗର କେତେଜଣ ସଦସ୍ୟ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ ।

You might also like