ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନଙ୍କୁ ଆଶ୍ଵସ୍ତି, ବିଲ୍ଡରଙ୍କ ଉପରେ ଗୁଳି ଚଳାଇବା ମାମଲାରେ ଦୋଷମୁକ୍ତ

ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନ ୧୬ ବର୍ଷ ପୁରୁଣା ମାମଲାରେ ଦୋଷମୁକ୍ତ ହୋଇଛନ୍ତି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି । ୨୦୦୮ରେ ଜଣେ ବିଲ୍ଡରଙ୍କ ଉପରେ ଗୁଳି ଚଳାଯାଇଥିଲା । ଏହି ମାମଲାରେ ଛୋଟା ରାଜନଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଥିଲା, କିନ୍ତୁ ସ୍ୱତନ୍ତ୍ର କୋର୍ଟ ଏବେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସ୍ୱତନ୍ତ୍ର ଅଦାଲତ ଶୁକ୍ରବାର ୬୭ ବର୍ଷୀୟ ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ସଦାଶିବ ନିକଲଜେ ଓରଫ୍ ଛୋଟା ରାଜନଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି । ବ୍ୟବସାୟୀ ତଥା ବିଲ୍ଡର ଧର୍ମରାଜ ସିଂ ଓରଫ୍ ବାଚି ସିଂଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଛୋଟା ରାଜନଙ୍କ ଉପରେ ମାମଲା ରୁଜୁ କରାଯାଇଥିଲା । ରାଜନଙ୍କ ଗ୍ୟାଙ୍ଗର ସଦସ୍ୟମାନେ ଧର୍ମରାଜଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲେ ।

ଛୋଟା ରାଜନ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ଗତକାଲି ତାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ଏହି ମାମଲା ୨୦୦୮ର । ତାଙ୍କ ନାମରେ ମୁମ୍ବାଇର ଡିଏନ୍ ନଗର ଥାନାରେ ମାମଲା ରୁଜୁ ହୋଇଥିଲା । ଛୋଟା ରାଜନଙ୍କ ଗ୍ୟାଙ୍ଗର ୪ ଜଣ ସଦସ୍ୟ ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଥିଲା, ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଥିଲେ ଛୋଟା ରାଜନ । ୨୦୦୮ରେ ବ୍ୟବସାୟୀଙ୍କ ବୟାନ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲା ।

କହି ରଖୁଛୁ, ବର୍ତ୍ତମାନ ଛୋଟା ରାଜନ ୨୦୧୧ରେ ସାମ୍ବାଦିକ ଜେ. ଦେ ଏବଂ ୨୦୦୧ରେ ହୋଟେଲ ବ୍ୟବସାୟୀ ଜୟ ଶେଟ୍ଟୀଙ୍କ ହତ୍ୟା ମାମଲାରେ ଦଣ୍ଡ ଭୋଗୁଛନ୍ତି । ତାଙ୍କ ବିରୋଧରେ ଆହୁରି ବି ଅନେକ ମାମଲା ପଞ୍ଜିକୃତ ରହିଛି ।