ଭଉଣୀମାନଙ୍କୁ ରାକ୍ଷୀ ଉପହାର…, ମାତ୍ର ୪୫୦ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ୍ ସିଲିଣ୍ଡର

ମଧ୍ୟପ୍ରଦେଶ ସରକାର ରାଜ୍ୟର ମହିଳାମାନଙ୍କୁ ଦେଇଛନ୍ତି ରାକ୍ଷୀ ଉପହାର । ଏଥିପାଇଁ ସରକାର କରିଛନ୍ତି ଏକ ବଡ଼ ଘୋଷଣା । ରାଜ୍ୟର ପ୍ରିୟ ଭଉଣୀମାନଙ୍କୁ ମାତ୍ର ୪୫୦ ଟଙ୍କାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବେ ମୋହନ ଯାଦବ ସରକାର । ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ମହିଳାମାନଙ୍କୁ ପ୍ରତି ମାସରେ ମିଳୁଥିବା ରାଶିରେ ଅତିରିକ୍ତ ରାଶି ମଧ୍ୟ ଯୋଡ଼ାଯାଇଛି ।
ମଧ୍ୟପ୍ରଦେଶ ସରକାର ମହିଳାମାନଙ୍କୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ମାତ୍ର ୪୫୦ ଟଙ୍କାରେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିପରି ମହିଳାଙ୍କୁ ପ୍ରତି ମାସରେ ମିଳୁଥିବା ୧୨୫୦ ଟଙ୍କା ରାଶିରେ ଅତିରିକ୍ତ ୨୫୦ ଟଙ୍କା ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ଅତିରିକ୍ତ ରାଶି କେବଳ ଶ୍ରାବଣ ମାସର ରକ୍ଷାବନ୍ଧନ ଅବସରରେ ପ୍ରଦାନ କରାଯିବ ବୋଲି ବୈଠକରେ ଅନୁମୋଦନ ହୋଇଛି ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମନ୍ତ୍ରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ ଲାଡ୍ଲି ବେହନା ଯୋଜନାର ମହିଳା ହିତାଧିକାରୀମାନଙ୍କୁ ବର୍ତ୍ତମାନ ୪୫୦ ଟଙ୍କାରେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ମିଳିବ । ଏବେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୪୮ ଟଙ୍କା ରହିଛି, ସେଥିରୁ ୪୫୦ ଟଙ୍କା ଲାଡ୍ଲି ବେହନାମାନଙ୍କୁ ଦେବାକୁ ପଡିବ । ବାକି ୩୯୮ ଟଙ୍କା ସରକାର ଦେବେ । ଏଥିପାଇଁ ୧୬୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।