ଟଳିଲା ବଡ଼ ଦୁର୍ଘଟଣା ! ରେଲୱେ ଟ୍ରାକ୍ ଉପରୁ ମିଳିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର, ୪ ମାସରେ ତୃତୀୟ ଘଟଣା

କାନପୁରରେ ରେଲୱେ ଟ୍ରାକ୍ ଉପରୁ ପୁଣି ମିଳିଛି ଏଲପିଜି ଗ୍ୟାସ୍ ସିଲିଣ୍ଡର । ୪ ମାସ ତଳେ ଏହି ଅଞ୍ଚଳରେ ଟ୍ରାକ୍ ଉପରେ ସିଲିଣ୍ଡର ରଖି କାଳିନ୍ଦୀ ଏକ୍ସପ୍ରେସ୍ ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଚେଷ୍ଟା କରାଯାଇଥିଲା । ଗତ ୪ ମାସ ମଧ୍ୟରେ ରେଳ ଟ୍ରାକ୍ ଉପରୁ ସିଲିଣ୍ଡର ମିଳିବାର ଏହା ହେଉଛି ତୃତୀୟ ଘଟଣା ।

ସୂଚନା ଯେ କାନପୁରରେ ରେଳଧାରଣା ଉପରୁ ଗ୍ୟାସ୍ ସିଲିଣ୍ଡର ମିଳିବା ଘଟଣା ଲଗାତାର ଜାରି ରହିଛି । ଏବେ ପୁଣିଥରେ ଶିବରାଜପୁର ଅଞ୍ଚଳରେ ରେଳ ଟ୍ରାକ୍ ଉପରୁ ୫ କିଲୋ ଏଲପିଜି ସିଲିଣ୍ଡର ମିଳିଛି । ସିଲିଣ୍ଡରଟି ଖାଲି ଥିଲା ଏବଂ ଏହାକୁ ଏକ ବ୍ୟାଗରେ ରଖା ଯାଇଥିଲା ।

ତେବେ ଚିନ୍ତାଜନକ କଥା ହେଉଛି ଯେ ୪ ମାସ ପୂର୍ବରୁ ଗତ ସେପ୍ଟେମ୍ବର ୮ରେ ଏମିତି ଏକ ଘଟଣା ଘଟିଥିଲା । ଶିବରାଜପୁର ଷ୍ଟେସନଠାରୁ ପ୍ରାୟ ୧ କିଲୋମିଟର ପୂର୍ବରୁ ରେଳଧାରଣା ଉପରୁ କିଛି ବିସ୍ଫୋରଣ ପଦାର୍ଥ ସହିତ ଏକ ବଡ଼ ଏଲପିଜି ସିଲିଣ୍ଡର ମିଳିଥିଲା । ଏହି ଗ୍ୟାସ୍ ସିଲିଣ୍ଡର ଦ୍ୱାରା କାଳିନ୍ଦୀ ଏକ୍ସପ୍ରେସକୁ ଲାଇନଚ୍ୟୁତ କରିବାକୁ ଚେଷ୍ଟା କରାଯାଇଥିଲା ।

ଏବେ ପୁଣି ମଙ୍ଗଳବାର ରାତିରେ ଶିବରାଜପୁର ଷ୍ଟେସନର ୧୦୦ ମିଟର ପରିସରରୁ ୫ କିଲୋ ଖାଲି ସିଲିଣ୍ଡର ମିଳିଛି । ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି । ବୁଧବାର ଜିଆରପି ଏବଂ ରେଲୱେ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି । ଏହି ଘଟଣାରେ ରେଲୱେ କର୍ମଚାରୀ ରମେଶ ଚନ୍ଦ୍ରଙ୍କ ଅଭିଯୋଗ କ୍ରମେ ଫରୁଖାବାଦ ଜିଆରପି ଥାନାରେ ମାମଲା ପଞ୍ଜିକୃତ ହୋଇଛି ।