ମଧ୍ୟପ୍ରଦେଶ : ଦୁଇଟି ଗାଡ଼ିକୁ ପିଟିଲା ଗ୍ୟାସ୍ ଟ୍ୟାଙ୍କର, ୭ ମୃତ

ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଗ୍ୟାସ ଟ୍ୟାଙ୍କର ଦୁଇଟି ଚାରିଚକିଆ ଗାଡିକୁ ଧକ୍କା ଦେବାରୁ ୭ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ୩ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି । ଏମାନଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଫସି ରହିଥିବା ଲୋକମାନଙ୍କୁ କ୍ରେନ୍ ସାହାଯ୍ୟରେ ଗାଡ଼ିରୁ ବାହାର କରାଯାଇଛି ।
ପୋଲିସର ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୧୧ଟାରେ ଏହି ଦୁର୍ଘଟଣା ଘଟିଛି । ବଦନାୱର-ଉଜ୍ଜୈନ ରାଜପଥର ବାମନସୁତା ଗାଁ ନିକଟରେ ଏକ ରାସ୍ତାରେ ଭୁଲ ଦିଗରୁ ଏକ ପେଟ୍ରୋଲ ଟ୍ୟାଙ୍କର ଆସୁଥିଲା । ଏହି ସମୟରେ ଟ୍ୟାଙ୍କରଟି ବିପରୀତ ଦିଗରୁ ଆସୁଥିବା ଏକ କାର ଏବଂ ଏକ ଜିପ୍ କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଯାଇଥିଲା ।
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କର ପରେ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ବାସିନ୍ଦା ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଦୁର୍ଘଟଣାରେ ଫସି ରହିଥିବା ଲୋକମାନଙ୍କୁ ଏକ କ୍ରେନ୍ ସାହାଯ୍ୟରେ ଗାଡ଼ିରୁ ବାହାର କରାଯାଇଥିଲା ।
ତେବେ ଦୁର୍ଘଟଣାରେ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ରତଲାମ, ମନ୍ଦସୌର ଏବଂ ଯୋଧପୁର ଜିଲ୍ଲାର ବୋଲି ଜଣାପଡିଛି । ଏହାସହିତ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ରବିବାର ବିଳମ୍ବିତ ରାତିରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଗାଡ଼ି ସହିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଲୋକ ଆହତ ହୋଇଥିଲେ ।
Also Read : ଆନ୍ଧ୍ରପ୍ରଦେଶ : ଦୁଇ ବସ୍ ମୁହାଁମୁହିଁ ଧକ୍କା, ୨ ମୃତ, ୪୦ ଆହତ