ତେଲେଙ୍ଗାନାରେ ପ୍ରଥମ! ମାଆ, ବାପାଙ୍କ ଆଶୀର୍ବାଦ ନେଇ ବାହା ହେଲେ ସମଲିଙ୍ଗୀ ଦମ୍ପତି ; କହିଲେ, ଖୁସି ରହିବା ପାଇଁ କାହାର ଅନୁମତି ଦରକାର ନାହିଁ

ତେଲେଙ୍ଗାନାରେ ପ୍ରଥମ ଥର ଏକ ସମଲିଙ୍ଗୀ ଦମ୍ପତି (ଗେ କପଲ୍‌) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ହେଲେ ସୁପ୍ରିଓ ଚକ୍ରବର୍ତ୍ତୀ ଓ ଅଭୟ ଡାଙ୍ଗ। ସୁପ୍ରିଓ ଓ ଅଭୟ ନିଜର ୧୦ ବର୍ଷର ଲମ୍ବା ସମ୍ପର୍କକୁ ଆଗକୁ ବଢ଼ାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ସୁପ୍ରିଓ କହିଛନ୍ତି ଯେ ସେମାନଙ୍କ ବିବାହ ସମସ୍ତଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଇଛି କି, ଖୁସି ରହିବା ପାଇଁ କାହାର ଅନୁମତିର ଆବଶ୍ୟକ ନାହିଁ। ଏହି ସମଲିଙ୍ଗୀ ପୁରୁଷ ଦମ୍ପତିଙ୍କୁ ତେଲେଙ୍ଗାନାର ପ୍ରଥମ ସମଲିଙ୍ଗୀ ଦମ୍ପତି ଭାବେ ଗଣା ଯାଇଛି।

୩୧ ବର୍ଷୀୟ ସୁପ୍ରିଓ ଓ ୩୪ ବର୍ଷୀୟ ଅଭୟ ପରସ୍ପରକୁ ମୁଦି ପିନ୍ଧାଇ ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏଠାରେ ଥିବା ଏକ ରିସୋର୍ଟରେ ସେମାନଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଲିଙ୍ଗୀ ଦମ୍ପତିଙ୍କ ବନ୍ଧୁ ସୋଫିଆ ଡେଭିଡ ଏହି ବିବାହ କରାଇ ଥିଲେ, ଯିଏ ନିଜେ ହିଁ ଜଣେ LGBTQ ସମ୍ପ୍ରଦାୟର। ଏହା ପୂର୍ବରୁ ସୁପ୍ରିଓ ନିଜ ବ୍ୟାଚେଲର ପାର୍ଟିର ଫଟୋଗୁଡ଼ିକୁ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ଏହି ଫଟୋଗୁଡ଼ିକରେ ଦୁହେଁ ‘ଗ୍ରୁମ୍‌ ଟୁ ବି’ର ଟ୍ୟାଗ୍ ପିନ୍ଧି ଥିବାର ଦେଖା ଯାଇଥିଲେ। ଏହାକୁ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ଖୁବ୍‌୍‌ ପସନ୍ଦ କରିଥିଲେ। ସମସ୍ତେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇ ଥିଲେ।

ସୁପ୍ରିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହ ସମାରୋହର ଫଟୋଗୁଡ଼ିକୁ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମା’ ତାଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବାର ନଜର ଆସୁଛନ୍ତି। ସେମାନଙ୍କ ବିବାହ ବିଷୟରେ ଆଲୋଚନା କରି ଏହି ସମଲିଙ୍ଗୀ ଦମ୍ପତି କହିଛନ୍ତି ଯେ ଏ ପର୍ଯ୍ୟନ୍ତ ସେମାନେ ବିବାହ ପଞ୍ଜିକରଣ କରି ନାହାନ୍ତି, ଯଦିଓ ସେମାନେ ବିବାହର କାର୍ଯ୍ୟକ୍ରମ ବଡ଼ ଧୁମ୍‌ଧାମରେ କରିଛନ୍ତି। ଏଥିରେ କେବଳ ସେମାନଙ୍କ ପରିବାର ଲୋକ ଏବଂ ସାଙ୍ଗସାଥୀ ସାମିଲ ହୋଇଥିଲେ। ସମସ୍ତେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ବିବାହ ପୂରା ତେଲେଙ୍ଗାନାରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.