ପୁନେ ହେଲା ଗୁଇଲେନ୍-ବାରି ସିଣ୍ଡ୍ରୋମର ହଟସ୍ପଟ୍ ! ୫ ନୂଆ ମାମଲା ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

ମହାରାଷ୍ଟ୍ରରେ ଚିନ୍ତା ବଢ଼ାଉଛି ଗୁଇଲେନ୍-ବାରି ସିଣ୍ଡ୍ରୋମ୍ (GBS) ମାମଲା । ଏବେ ଏଥିରେ ସନ୍ଦିଗ୍ଧ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଥିବା ବେଳେ ପୁନେରେ ଆଉ ପାଞ୍ଚଟି ମାମଲା ଚିହ୍ନଟ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ପୁନେ ସହର, ଗ୍ରାମାଞ୍ଚଳ ଏବଂ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୧୬୩ଟି ସନ୍ଦିଗ୍ଧ ମାମଲା ରହିଛି । ଏହିପରି ନିଶ୍ଚିତ GBS ମାମଲାର ମୋଟ ସଂଖ୍ୟା ୧୨୭ ହୋଇଛି । ସେଥିରେ ଏବେ ପାଞ୍ଚଟି ନୂଆ ମାମଲା ଅନ୍ତର୍ଭୁକ୍ତ ହୋଇଛି ।
୧୬୩ଟି ସନ୍ଦିଗ୍ଧ ମାମଲା ମଧ୍ୟରୁ ପୁଣେ ସହରରୁ ୩୨, ପୁଣେ ମ୍ୟୁନିସିପାଲ୍ କର୍ପୋରେସନ୍ ସୀମାରେ ନୂତନ ଭାବରେ ଯୋଡ଼ା ଯାଇଥିବା ଗ୍ରାମରୁ ୮୬, ପିମ୍ପରି ଚିଞ୍ଚୱାଡରୁ ୧୮, ପୁଣେ ଗ୍ରାମାଞ୍ଚଳରୁ ୧୯ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ୮ଟି ମାମଲା ରହିଛି । ୧୬୩ ଜଣ ରୋଗୀଙ୍କ ମଧ୍ୟରୁ ୪୭ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ୪୭ ଜଣ ଆଇସିୟୁରେ ଅଛନ୍ତି ଏବଂ ୨୧ ଜଣ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି ।
ଏହା ବ୍ୟତୀତ ପୁଣେ ସହରର ବିଭିନ୍ନ ସ୍ଥାନରୁ ୧୬୮ଟି ଜଳ ନମୁନା ସଂଗ୍ରହ କରାଯାଇଥିଲା । ଏହାକୁ ରାସାୟନିକ ଏବଂ ଜୈବିକ ବିଶ୍ଳେଷଣ ପାଇଁ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା । ଯାଞ୍ଚରୁ ୮ଟି ଜଳ ନମୁନାରୁ ପ୍ରଦୂଷଣ ଜଣାପଡ଼ିଛି ।
GBS ଏକ ବିରଳ ବ୍ୟାଧି । ଏହା ପ୍ରତିରକ୍ଷା ପ୍ରଣାଳୀ ସ୍ନାୟୁ ଉପରେ ଆକ୍ରମଣ କରେ, ଯାହା ଫଳରେ ମାଂସପେଶୀ ଦୁର୍ବଳ ହେବା ସହ ହାତ ଓ ଗୋଡ଼ରେ ସମ୍ବେଦନଶୀଳତା ହ୍ରାସ ପାଇଥାଏ । ଏହିପରି ଖାଦ୍ୟ ଗିଳିବା କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହୁଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜିବିଏସ୍ ସାଧାରଣତଃ ଜୀବାଣୁ ଏବଂ ଭାଇରାଲ୍ ସଂକ୍ରମଣ ଦ୍ୱାରା ବ୍ୟାପିଥାଏ ଏବଂ ପରେ ଆକ୍ରାନ୍ତଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଥାଏ ।
ଏହା ମଧ୍ୟ ପଢ଼ନ୍ତୁ: ଜିବିଏସ୍ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଆଶଙ୍କା, ପୁନେରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର