ଭେଜ୍‌ ଜାଗାରେ ନନ୍‌ଭେଜ୍‌ ପିଜ୍ଜା ଡେଲିଭରି କରିଥିଲା କମ୍ପାନୀ, ମହିଳା ମାଗିଲେ ୧ କୋଟି ଟଙ୍କାର କ୍ଷତିପୂରଣ

ଅର୍ଡର ଭୁଲ ଆସିବାରୁ କମ୍ପାନୀ ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଲେ ମହିଳା। ଏଭଳି ଏକ ମାମଲା ଉତ୍ତର ପ୍ରଦେଶର ଗାଜିଆବାଦରେ ସାମ୍ନାକୁ ଆସିଛି। ଏଠାରେ ଜଣେ ନିରାମିଷାଶୀ ମହିଳା ଭେଜ୍‌ ପିଜ୍ଜା ଅର୍ଡର କରିଥିଲେ। କିନ୍ତୁ କମ୍ପାନୀ ତାଙ୍କୁ ନନ୍‌ଭେଜ୍‌ ପିଜ୍ଜା ପଠାଇ ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ମହିଳା ଜଣକ ଉକ୍ତ କମ୍ପାନୀଙ୍କୁ ଖାଉଟି ଅଦାଲତକୁ ଟାଣିନେଇଥିଲେ। ଏଥିସହ କ୍ଷତିପୂରଣ ବାବଦକୁ ୧ କୋଟି ଟଙ୍କା ଦାବି କରିଛନ୍ତି। ମହିଳାଙ୍କ କହିବାନୁସାରେ, ଏହା ଦ୍ୱାରା ତାଙ୍କର ଯେଉଁ କ୍ଷତି ହୋଇଛି, ତାହାକୁ ପୂରଣ କରିବାକୁ କମ୍ପାନୀକୁ ମୋଟାଅଙ୍କର ଅର୍ଥ ଦେବାକୁ ପଡ଼ିବ।

ରିପୋର୍ଟ ମୁତାବକ, ଗାଜିଆବାଦର ଦୀପାଲି ତ୍ୟାଗୀ ଶୁଦ୍ଧ ଶାକାହାରୀ। ସେ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ନିରାମିଷାଶୀ। ସେ ୨୦୧୯ ମସିହା ମାର୍ଚ୍ଚ ୨୧ ତାରିଖରେ ହୋଲି ପରେ ପରିବାର ଲୋକଙ୍କ ପାଇଁ ନିରାମିଷ ପିଜ୍ଜା ଅର୍ଡର କରିଥିଲେ। ପିଜ୍ଜା ବିଳମ୍ବରେ ପହଞ୍ଚିଥିଲେ ମଧ୍ୟ ସେ ସେଥିପ୍ରତି ଦୃଷ୍ଟି ଦେଇନଥିଲେ। ପିଜ୍ଜା ଆସିବା ପରେ ସେ ଆଉ ନଦେଖି ତାହାର ଗୋଟିଏ ବାଇଟ୍‌ ନେଇଥିଲେ। ଖାଇବା ପରେ ସେ ଜାଣିବାକୁ ପାଇଥିଲେ ଯେ ପିଜ୍ଜାରେ ଛତୁ ନୁହେଁ ବରଂ ମାଂସ ଖଣ୍ଡ ପଡ଼ିଛି। ଏହା ପରେ ସେ ତୁରନ୍ତ ଏନେଇ ଗ୍ରାହକ ସେବାକୁ କଲ୍‌ କରି ଏଭଳି ଅବହେଳା ପାଇଁ ଅଭିଯୋଗ କରିଥିଲେ।

କିଛି ଦିନ ପରେ ପିଜ୍ଜା ଆଉଟ୍‌ଲେଟ୍‌ର ଜଣେ ଅଧିକାରୀ ତାଙ୍କୁ କଲ୍‌ କରିଥିଲେ ଓ ତାଙ୍କ ପୂରା ପରିବାରକୁ ମାଗଣାରେ ପିଜ୍ଜା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦୀପାଲି ତାଙ୍କୁ କହିଥିଲେ, ଏହା ଏକ ସାଧାରଣ ମାମଲା ନୁହେଁ। ଏହା ଦ୍ୱାରା ତାଙ୍କ ଧାର୍ମିକ ଭାବନା ପ୍ରଭାବିତ ହୋଇଛି। ଏହା ପରେ ପୀଡ଼ିତାଙ୍କ ତରଫରୁ ଦିଲ୍ଲୀର ଜିଲ୍ଲା ଉପଭୋକ୍ତା ଫୋରମ୍‌ରେ ମାମଲା ରୁଜୁ କରାଯାଇଥିଲା। କମ୍ପାନୀକୁ ଏ ନେଇ ଜବାବ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୧୭ରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.