ମହାରାଷ୍ଟ୍ରରେ କରୋନାରେ ହାହାକାର ! ଆମ୍ବୁଲାନ୍ସରେ ପଡ଼ିଥିଲେ ବାପା, ତ ପୁଅ କହିଲା, ‘ବେଡ୍‌ ଦେଇପାରିବେନି ଯଦି ଇଞ୍ଜେକ୍ସନ ଦେଇ ମାରି ଦିଅ’

ମହାରାଷ୍ଟ୍ରରେ କରୋନା ଭାଇରସ୍‌ ମହାମାରୀ ଯୋଗୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଏବେ ରାଜ୍ୟରେ ନୂଆ କରୋନା ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଶଯ୍ୟା ସୁଦ୍ଧା ଉପଲବ୍ଧ କରାଯାଇପାରୁ ନାହିଁ। ଏମିତିରେ ପରିବାର ଲୋକଙ୍କୁ ନିଜ ସଂକ୍ରମିତ ସଦସ୍ୟଙ୍କୁ ଧରି ହସ୍ପିଟାଲ ଚକ୍କର କାଟିବାକୁ ପଡ଼ୁଛି। ଏବେ ଏମିତି ହିଁ ଏକ ଘଟଣା ଲୋକଲୋଚନକୁ ଆସିଛି। ମୁମ୍ବାଇଠାରୁ ୮୫୦ କିମି ଦୂର ଚନ୍ଦ୍ରପୁରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ବନ୍ଦ ହୋଇଯିବା ଯୋଗୁ ଜଣେ ପୁଅ ନିଜ ବାପାଙ୍କୁ ଧରି ଏଠି ସେଠି ବାର ଦୁଆର ହୋଇଛି।

ମହାରାଷ୍ଟ୍ର ଓ ତେଲେଙ୍ଗାନା ସୀମା ମଝି ଅନେକ ହସ୍ପିଟାଲର ଚକ୍କର କାଟି ସାରିଥିବା ଉକ୍ତ ଯୁବକ ହେଲେ ସାଗର କିଶୋର ନାହରଶେତିବାର। ତାଙ୍କ କହିବା ହେଲା, ତାଙ୍କ ବାପାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉନାହିଁ।

ଚନ୍ଦ୍ରପୁରରେ କରୋନା କେସ୍‌ ହଠାତ୍‌ ବଢ଼ିଯିବା ଯୋଗୁ ସମସ୍ତ ହସ୍ପିଟାଲକୁ ୨୪ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଥିଲା। ଏଭଳି ସ୍ଥିତିରେ ରୋଗୀ ଧରି ଆମ୍ବୁଲାନ୍ସଗୁଡ଼ିକ ହସ୍ପିଟାଲ ବାହାରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। ସେଥି ମଧ୍ୟରୁ ଏକ ଆମ୍ବୁଲାନ୍ସରେ ଥିଲେ ସାଗର କିଶୋର ଓ ତାଙ୍କ ବାପା। ସାଗର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ କି, ସେମାନେ ମଙ୍ଗଳବାର ଅପରାହ୍ନ ୩ଟାଠାରୁ ହିଁ ହସ୍ପିଟାଲଗୁଡ଼ିକର ଚକ୍କର କାଟୁଛନ୍ତି। ପ୍ରଥମେ ସେ ଚନ୍ଦ୍ରପୁରସ୍ଥିତ ବରୋରା ହସ୍ପିଟାଲ ଯାଇଥିଲେ। ପରେ କେତେକ ଘରୋଇ ହସ୍ପିଟାଲ ଘୂରି ବୁଲିଥିଲେ, କିନ୍ତୁ କେଉଁଠି ବି ତାଙ୍କୁ ବେଡ୍‌ ମିଳି ନ ଥିଲା।

ସାଗର କିଶୋରଙ୍କ କହିବା ହେଲା, ମହାରାଷ୍ଟ୍ରରେ ବେଡ୍‌ ନ ମିଳିବାରୁ ରାତି ୧ଟା ୩୦ରେ ସେ ତେଲେଙ୍ଗାନା ଯାଇଥିଲେ। ରାତି ୩ଟାରେ ତେଲେଙ୍ଗାନାରେ ପହଞ୍ଚିବା ପରେ ସେଠି ମଧ୍ୟ ସମାନ ଅସୁବିଧାର ସାମ୍ନା କରିଥିଲେ। ଏହାପରେ ସେ ସକାଳୁ ଫେରି ଆସିଥିଲେ ଏବଂ ସେତେବେଳୁ ହିଁ ବେଡ୍‌ ପାଇଁ ଅପେକ୍ଷା କରି ବସିଛନ୍ତି। ସେ କହିଥିଲେ ଯେ ହସ୍ପିଟାଲରେ ବେଡ୍‌ ପାଇଁ ଅପେକ୍ଷା କରି କରି ତାଙ୍କ ବାପାଙ୍କ ଅକ୍ସିଜେନ୍‌ ମଧ୍ୟ ଶେଷ ହୋଇଗଲାଣି।

ଏହି ସବୁ ପରିସ୍ଥିତିରେ ସେ ହତାଶ ହୋଇ କହିଥିଲେ, ବାପାଙ୍କ ପାଇଁ ବେଡ୍‌ ଉପଲବ୍ଧ କରାଯାଉ ନଚେତ୍‌ ଇଞ୍ଜେକ୍ସନ ଲଗାଇ ତାଙ୍କ ଜୀବନ ନିଆଯାଉ। ଆମେ ତାଙ୍କୁ ଏହିଭଳି ଭାବେ ଘରକୁ ନେଇଯାଇ ପାରିବୁ ନାହିଁ ଆଉ ଆପଣ ତାଙ୍କ ପାଇଁ ବେଡ୍‌ଟିଏ ସୁଦ୍ଧା ଉପଲବ୍ଧ କରେଇ ପାରୁନାହାନ୍ତି। ସୂଚନାଥାଉ କି, ଚନ୍ଦ୍ରପୁରରେ ଗତ ଦିନକ ଭିତରେ ୮୫୦ ନୂଆ କେସ୍‌ ସାମ୍ନାକୁ ଆସିଛି।

Leave A Reply

Your email address will not be published.