ମହିଳା କର୍ମଚାରୀଙ୍କୁ Swiggyର ଭେଟି! ଏବେ ପ୍ରତି ମାସରେ ମିଳିବ ୨ ଦିନର ପିରିୟଡ୍‌ ଛୁଟି

ଅନଲାଇନ ଫୁଡ୍‌ ଡେଲିଭରି କମ୍ପାନୀ ‘ସ୍ୱିଗୀ’ ନିଜର ମହିଳା ଫୁଡ୍‌ ଡେଲିଭରି କର୍ମଚାରୀଙ୍କ ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି। ସ୍ୱିଗୀ ମହିଳା କର୍ମଚାରୀମାନଙ୍କୁ ପ୍ରତି ମାସରେ ୨ ଦିନ ପରିୟଡ୍‌ ଲିଭ୍‌ ଦେବାକୁ ଘୋଷଣା କରିଛି। କମ୍ପାନୀ କହିଛି କି, ସେ ନିଜ ମହିଳା ଡେଲିଭରି ପାର୍ଟନର୍ସଙ୍କ ପାଇଁ ‘No-Question-Askd, Two-Day Paid Monthly Period Time Off Policy’ର ଅପଶନ ଆଣିଛି। ଏ ବିଷୟରେ ଖୋଦ୍‌ କମ୍ପାନୀ ସୂଚନା ଦେଇଛି।

ସ୍ୱିଗୀର ନିଆରା ପଦକ୍ଷେପ

ସ୍ୱିଗୀ ଅପରେଶନ୍ସର ଭାଇସ୍‌ ପ୍ରେସିଡେଣ୍ଟ ମିହିର ଶାହ ନିକଟରେ ଏକ ବ୍ଲଗ୍‌ ପୋଷ୍ଟ କରି କହିଛନ୍ତି, ମେନ୍‌ଷ୍ଟଏଶନ ସମୟରେ କାହା ପାଖକୁ ଫୁଡ୍‌ ଡେଲିଭରି କରେଇବାକୁ ଯିବା ବେଳେ ରାସ୍ତାରେ ଅନେକ ସମସ୍ୟା ଉପୁଜିଥାଏ ଏବଂ ଏହି କାରଣରୁ ମହିଳାମାନେ ଏ କ୍ଷେତ୍ରରେ କାମ କରିବା ପାଇଁ ଆସି ପାରି ନ ଥାଆନ୍ତି। ସେମାନଙ୍କର ଏହି ସମସ୍ୟା ବେଳେ ସେମାନଙ୍କୁ ସହଯୋଗ କରିବା ଆମର ଉଦ୍ଦେଶ୍ୟ। ଆମେମାନେ ବିନା କୌଣସି ପ୍ରଶ୍ନ ପଚାରି ପ୍ରତି ମାସରେ ମହିଳା ଏଜେଣ୍ଟଙ୍କୁ ଦୁଇ ଦିନର ପେଡ୍‌ ଲିଭ୍‌ ଦେବା ପାଇଁ ନିଷ୍ପତ୍ତି ନେଇଛୁ’।

ମହିଳା ଡେଲିଭରି ପାର୍ଟନର୍ସଙ୍କ ପାଇଁ ‘ସେଫ୍‌ ଜୋନ୍‌’

ସୂଚନାଥାଉ କି, ବର୍ଷ ୨୦୧୬ରେ ସ୍ୱିଗୀରେ ଡେଲିଭରି ଏଜେଣ୍ଟ ରୂପେ ପ୍ରଥମ ମହିଳା କର୍ମଚାରୀ ଯୋଗ ଦେଇଥିଲେ। ସେବେଠାରୁ ନିଜ କାର୍ଯ୍ୟବଳରେ ମହିଳା ଡେଲିଭରି ପାର୍ଟନରଙ୍କ ସଂଖ୍ୟା ବଢ଼ାଇବା ପାଇଁ ସ୍ୱିଗୀ ପ୍ରତିବଦ୍ଧ ରହିଛି। କମ୍ପାନୀ ମହିଳା କର୍ମଚାରୀମାନଙ୍କ ପାଇଁ ପିରିୟଡ୍‌ ଛୁଟି ବ୍ୟତୀତ ଅନ୍ୟାନ୍ୟ ଜରୁରୀ ପଦକ୍ଷେପ ମଧ୍ୟ ଉଠାଇଛି। ଓପନ୍‌ ବ୍ଲଗ ପୋଷ୍ଟରେ ଶାହ ଏହା ମଧ୍ୟ କହିଛନ୍ତି କି, ସ୍ୱିଗୀ ମହିଳା ଡେଲିଭରି ପାର୍ଟନର୍ସଙ୍କ ପାଇଁ ‘ସେଫ୍‌ ଜୋନ୍‌’ ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ଡେଲିଭରି ସମୟ ଆଣିଛି। କେବଳ ଏତିକି ନୁହେଁ, କମ୍ପାନୀ ଇଲେକ୍ଟ୍ରିକ୍‌ ମୋବିଲିଟି ପାର୍ଟନର୍ସଙ୍କ ସହିତ ମଧ୍ୟ କାମ କରୁଛି। ଯେଉଁ ମହିଳାଙ୍କ ପାଖରେ ଗାଡ଼ି ନାହିଁ, ସେମାନଙ୍କୁ ଯେପରି ଇଭି ସାଇକେଲ ଏବଂ ବାଇକ୍‌ ଭଡ଼ା ଆକାରରେ ଦିଆଯାଇ ପାରିବ, ତାହା ଉପରେ ଗୁରୁତ୍ୱ ଦିଆଯାଉଛି।

Zomato ମଧ୍ୟ କରିଥିଲା ଏହି ଘୋଷଣା

କହି ରଖୁଛୁ, ଗତ ବର୍ଷ ଅନଲାଇନ ଫୁଡ୍‌ ଡେଲିଭରି କମ୍ପାନୀ ‘ଜମାଟୋ’ ମଧ୍ୟ ନିଜ ମହିଳା କର୍ମଚାରୀଙ୍କ ପାଇଁ ପିରିୟଡ୍‌ ସମୟରେ ବର୍ଷକୁ ୧୦ ପେଡ୍‌ ଲିଭ୍‌ ଡେ’ ଆରମ୍ଭ କରିଥିଲା। ଅନେକ ମହିଳାଙ୍କ ପାଖରେ ନା କୌଣସି ଯାନବାହାନ ଥିଲା ନା ଡ୍ରାଇଭିଂ ଲାଇସେନ୍ସ, ଯାହା ଫଳରେ କମ୍ପାନୀ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା। ଏହାଦ୍ୱାରା ମହିଳା କର୍ମଚାରୀମାନଙ୍କୁ କାମରେ ନିରନ୍ତରତା ରଖିବାରେ ସାହାଯ୍ୟ ମିଳି ପାରିବ।