ଆସନ୍ତା ବର୍ଷ କର୍ମଚାରୀଙ୍କ ପାଇଁ ଓ୍ଵାର୍କ ଫ୍ରମ୍ ହୋମ୍ ଜାରି କଲା ଗୁଗଲ୍, ଜାଣନ୍ତୁ କେତେ ମାସ ପର୍ଯ୍ୟନ୍ତ ମିଳିବ ସୁବିଧା

ଆସନ୍ତା ବର୍ଷ ଅର୍ଥାତ ୨୦୨୧ ରେ ଗୁଗଲ୍ ନିଜ କର୍ମଚାରୀଙ୍କ ପାଇଁ ଓ୍ଵାର୍କ ଫ୍ରମ୍ ହୋମ (ଘରୁ କାମ କରିବା)ର ସୁବିଧା ଜାରି ରଖିବା ପାଇଁ ସ୍ଥିର କରିଛି। ସୂଚନା ମୁତାବକ ଗୁଗଲ୍ ସିଇଓ ସୁନ୍ଦର ପିଚାଇ ଏନେଇ କହିଛନ୍ତି, କରୋନା ମହାମାରୀକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କ ପାଇଁ ଆସନ୍ତା କିଛି ମାସ ଘରୁ କାର୍ଯ୍ୟ କରିବା ଜାରି ରହିବ। ଏଭଳି ପରିସ୍ଥିତିରେ କରୋନା ଟୀକା ବାହାରିବା ପରେ ଏବଂ କାର୍ଯ୍ୟ ପରିବେଶ ଠିକ୍ ହେବା ପରେ ଯେତେବେଳେ କର୍ମଚାରୀମାନେ ଅଫିସ୍ ଫେରିବା ଆରମ୍ଭ କରିବେ ସେତେବେଳେ ମଧ୍ୟ ଗୁଗଲ୍ ନିଜ କର୍ମଚାରୀମାନଙ୍କୁ ସପ୍ତାହରେ କିଛି ଦିନ ଘରୁ କାମ କରିବାକୁ ଅନୁମତି ଦେବ।
ସପ୍ତାହରେ ଏତିକି ଦିନ ଘରୁ କାମ କରିପାରିବେ କର୍ମଚାରୀ
ଗୁଗଲ୍ ଆସନ୍ତା ବର୍ଷ କର୍ମଚାରୀମାନଙ୍କୁ ଓ୍ଵାର୍କ ଫ୍ରମ୍ ହୋମ୍ ଜରିଆରେ ସପ୍ତାହରେ ୩ ଦିନ ଘରୁ କାମ କରିବାର ସୁବିଧା ଯୋଗାଇଦେବାକୁ ବିଚାର କରିଛି। କରୋନା ଟୀକା ବାହାରିବା ପରେ ମଧ୍ୟ ଗୁଗଲ୍ କର୍ମଚାରୀମାନଙ୍କୁ ସପ୍ତାହରେ କେବଳ ୩ ଦିନ ଅପିସ୍ ଯିବାକୁ ପଡିବ ଏବଂ ବାକି ଦିନଗୁଡିକ କର୍ମଚାରୀମାନେ ଘରେ ରହି କାମ କରିପାରିବେ।
ଗୁଗଲ୍ ଚଳିତ ବର୍ଷ ନିଜ କର୍ମଚାରୀମାନଙ୍କ ପାଇଁ ଆସନ୍ତା ବର୍ଷ ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଓ୍ଵାର୍କ ଫ୍ରମ୍ ହୋମ୍ ର ସୁବିଧା ଘୋଷଣା କରିଥିଲା। ଯାହାପରେ ଗୁଗଲ୍ ସମଗ୍ର ବିଶ୍ୱରେ ଏହି ପ୍ରକାର ସୁବିଧା ପ୍ରଦାନ କରିବାରେ ପ୍ରଥମ କମ୍ପାନୀ ହୋଇଥିଲା। ସେହିଭଳି ଗୁଗଲ୍ ର ସିଇଓ ସୁନ୍ଦର ପିଚାଇ ନିଜ ଷ୍ଟାଫମାନଙ୍କୁ ପଠାଇଥିବା ଇମେଲ୍ ରେ କହିଥିଲେ, ଗୁଗଲ୍ କର୍ମଚାରୀ ଆସନ୍ତା ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ଭାବେ ଓ୍ଵାର୍କ ଫ୍ରମ୍ ହୋମ ଚୟନ କରିପାରିବେ। ଏଥିସହ ସିଇଓ ସୁନ୍ଦର ପିଚାଇ ଏହା ମଧ୍ୟ କହିଥିଲେ, ଏହି ସୁବିଧା ସେହି କର୍ମଚାରୀମାନଙ୍କ ପାଇଁ ଯେଉଁମାନଙ୍କର ଅଫିସ୍ ରେ ରହି କାମ କରିବାର ଆବଶ୍ୟକତା ନାହିଁ।