ନିଜ ଦୁଷ୍କର୍ମ ମାମଲାରେ ସାକ୍ଷୀ ଦେବାକୁ ଆସିଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ, ଏଥରକ ଇଜ୍ଜତ ଲୁଟିଲା ଅଭିଯୁକ୍ତର ଭାଇ

ପୁଣି ଦୁଷ୍କର୍ମର ଶିକାର ହେଲା କୋର୍ଟକୁ ସାକ୍ଷୀ ଦେବାକୁ ଆସିଥିବା ଜଣେ ଗଣଦୁଷ୍କର୍ମ ପୀଡ଼ିତା। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଛି ଏଭଳି ଘଟଣା। ଏଠାରେ ଆହ୍ଲାବାଦ ହାଇକୋର୍ଟରେ ନିଜ ସହ ହୋଇଥିବା ଦୁଷ୍କର୍ମ କେସ୍‌ରେ ସାକ୍ଷୀ ଦେବାକୁ ଆସିଥିବା ଯୁବତୀଙ୍କ ସହ ଏକ ହୋଟେଲରେ ଗ୍ୟାଙ୍ଗ୍‌ ରେପ୍‌ ହୋଇଛି। ଏହି କାଣ୍ଡ ଘଟାଇଥିବା ରାକ୍ଷସ ଆଉ କେହି ନୁହେଁ, ବରଂ ପ୍ରଥମ ଦୁଷ୍କର୍ମ କରିଥିବା ଯୁବକର ଭାଇ। ଯୁବତୀ କୋର୍ଟ ଯିବା ପୂର୍ବରୁ ଯେଉଁ ହୋଟେଲରେ ରହିଥିଲେ, ସେଠାରେ ତାଙ୍କ ଖାଦ୍ୟରେ ନିଶା ଦିଆଯାଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା। ଏହା ପରେ ତାଙ୍କ ଅଶ୍ଳୀଳ ଭିଡିଓ ବନାଇ ତାହାକୁ ଭାଇରାଲ କରିବାକୁ ମଧ୍ୟ ଧମକ ଦିଆଯାଇଛି। ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା।

ପୀଡ଼ିତା ଜଣକ ଗୋରଖପୁରର ବାସିନ୍ଦା ବୋଲି କୁହାଯାଉଛି। ତାଙ୍କ ଅଭିଯୋଗ ମୁତାବକ, ଜାନୁଆରୀ ୨୦୨୧ରେ ସେ ନିଜ ଦୁଷ୍କର୍ମ ମାମଲାର ସାକ୍ଷୀ ଦେବାକୁ ଆହ୍ଲାବାଦ ହାଇକୋର୍ଟ ଆସିଥିଲେ। ସେ ନିଜ ସହ ଜଣେ ସମ୍ପର୍କୀୟ ଭାଇଙ୍କୁ ଆଣିଥିଲେ। ଏ ଅବସରରେ ସେମାନେ ଏକ ହୋଟେଲରେ ରହିଥିଲେ। ସେମାନେ ଏକାଠି ଖାଇବା ପରଠାରୁ ତାଙ୍କର ଆଉ କିଛି ମନେ ନାହିଁ। ତାଙ୍କ କହିବାନୁସାରେ, ତାଙ୍କୁ ଖାଇବାରେ ନିଦ ଔଷଧ ମିଶାଯାଇଥିଲା। ହୋସ୍‌ ଆସିବା ବେଳକୁ ତାଙ୍କ ଦେହରେ ପୋଷାକ ନଥିଲା। ତାଙ୍କ ସହ ଦୁଇ ଜଣ ଦୁଷ୍କର୍ମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାକୁ ବି ସେମାନେ ଧମକ ଦେଇଛନ୍ତି। ଯଦି ସେ କୋର୍ଟରେ ତାଙ୍କ କହିବାନୁସାରେ ସାକ୍ଷୀ ନ ଦିଅନ୍ତି ତେବେ ପରିଣାମ ଭୟଙ୍କର ହେବ ବୋଲି ବି ଦୁଷ୍କର୍ମୀ ମାନେ କହିଥିବା ପୀଡ଼ିତା କହିଛନ୍ତି।

ଏ ନେଇ ପୋଲିସ କହିଛି ଯେ ଯୁବତୀଙ୍କ କଥାରେ କେତେ ସତ୍ୟତା ରହିଛି ଏବେ ସେ ନେଇ ତଦନ୍ତ ଚାଲିଛି। ତେବେ ବର୍ତ୍ତମାନ ଯୁବତୀଙ୍କ ସହ ଆସିଥିବା ସମ୍ପର୍କୀୟ ଭାଇଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.