ବଦଳିଲା ପୋର୍ଟ ବ୍ଲେୟାରର ନାମ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଲେ ଘୋଷଣା । ଭାରତ ସରକାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ‘ପୋର୍ଟ ବ୍ଲେୟାର’ର ନାମ ପରିର୍ବତ୍ତନ କରିଛନ୍ତି । ସରକାର ପୋର୍ଟ ବ୍ଲେୟାରର ନାମକୁ ବଦଳାଇ ‘ଶ୍ରୀ ବିଜୟପୁରମ୍’ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି ଏହା ବିଷୟରେ ସୂଚନା ଦେଇଛନ୍ତି ।
ଗୃହମନ୍ତ୍ରୀ ନିଜ ଟ୍ୱିଟରେ ଲେଖିଛନ୍ତି, ‘ଦେଶକୁ ଗୋଲାମିର ସମସ୍ତ ପ୍ରତୀକରୁ ମୁକ୍ତ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପରୁ ପ୍ରେରିତ ହୋଇ ଆଜି ଗୃହ ମନ୍ତ୍ରଣାଳୟ ପୋର୍ଟ ବ୍ଲେୟାରର ନାମ ‘ଶ୍ରୀ ବିଜୟପୁରମ୍’ କରିବାକୁ ନିଷ୍ପତ୍ତି ନେଇଛି’ ।
ସେ କହିଛନ୍ତି ଯେ ‘ଶ୍ରୀ ବିଜୟପୁରମ୍’ ନାମ ଆମ ସ୍ୱାଧୀନତା ସଂଗ୍ରାମ ଏବଂ ଏଥିରେ ଆଣ୍ଡାମାନ-ନିକୋବରର ଅବଦାନକୁ ଦର୍ଶାଉଛି । ଆମ ଦେଶର ସ୍ୱାଧୀନତା ଏବଂ ଇତିହାସରେ ଏହି ଦ୍ୱୀପର ଅଦ୍ୱିତୀୟ ସ୍ଥାନ ରହିଛି’ ।
ଅମିତ ଶାହା ଆହୁରି ଲେଖିଛନ୍ତି, ‘ଚୋଳ ସାମ୍ରାଜ୍ୟରେ ଏହି ଦ୍ୱୀପ ନୌସେନାର ଆଡ୍ଡା ଥିଲା । ଦେଶର ସୁରକ୍ଷା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଏହି ଦ୍ୱୀପ ପ୍ରସ୍ତୁତ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ସର୍ବପ୍ରଥମେ ତ୍ରିରଙ୍ଗା ଉଡ଼ାଇବାଠାରୁ ଆରମ୍ଭ କରି ସେଲୁଲାର୍ ଜେଲରେ ବୀର ସାବରକର ଏବଂ ଅନ୍ୟ ସଂଗ୍ରାମୀଙ୍କ ଦ୍ୱାରା ଭାରତ ମାତାର ସ୍ୱାଧୀନତା ପାଇଁ ଏହି ଦ୍ୱୀପ ହେଉଛି ସଂଘର୍ଷର ସ୍ଥାନ’ ।
୨୦୧୮ରେ ଯେବେ ପ୍ରଧାନମନ୍ତ୍ରୀ ମୋଦି ଆଣ୍ଡାମାନ-ନିକୋବର ଯାଇଥିଲେ, ସେବେ ସେ ତିନି ଦ୍ୱୀପର ନାମ ବଦଳାଇବାକୁ ଘୋଷଣା କରିଥିଲେ । ହାଭେଲକ୍ ଦ୍ୱୀପ, ନୀଲ ଦ୍ୱୀପ ଏବଂ ରସ୍ ଦ୍ୱୀପର ନାମ ସେ ପରିବର୍ତ୍ତନ କରିଥିଲେ । ପିଏମ୍ ମୋଦି କହିଥିଲେ ଯେ ହାଭେଲକ୍ ଦ୍ୱୀପକୁ ଏବେ ସ୍ୱରାଜ ଦ୍ୱୀପ, ନୀଲ୍ ଦ୍ୱୀପକୁ ସହିଦ ଦ୍ୱୀପ ଏବଂ ରସ୍ ଦ୍ୱୀପକୁ ନେତାଜୀ ସୁଭାଷ ଚନ୍ଦ୍ର ଦ୍ୱୀପ ନାମରେ ଜଣାଯିବ ।