୧୦ ବର୍ଷ ଧରି ଶିଶୁ ଓ ଯୁବକମାନଙ୍କୁ ଯୌନ ଶୋଷଣ କରି ଆସୁଥିଲେ ଏହି ସରକାରୀ କନିଷ୍ଠ ଯନ୍ତ୍ରୀ, କୁକର୍ମକୁ ଘୋଡ଼ାଉଥିଲେ ସ୍ତ୍ରୀ, ୭୦ରୁ ଅଧିକ ପୀଡ଼ିତଙ୍କଠାରେ HIV ଆଶଙ୍କା
ୟୁପିର ବାନ୍ଦାରେ ଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ରାମଭବନ ପିଲାମାନଙ୍କୁ ଯୌନ ଶୋଷଣ କରୁଥିବାର ନେଇ ଏକ ମାମଲା ସାମ୍ନାକୁ ଆସିଛି। ଏ ପର୍ଯ୍ୟନ୍ତ ସିବିଆଇର ତଦନ୍ତ ମୁତାବକ, ରାମଭବନ ପାଖାପାଖି ୭୦ରୁ ଅଧିକ ପିଲାଙ୍କୁ ଯୌନ ଶୋଷଣ କରିସାରିଛନ୍ତି। ତେବେ ସେ ଯେଉଁ ପିଲାମାନଙ୍କୁ ଯୌନ ଶୋଷଣ କରିଛନ୍ତି, ସେମାନଙ୍କୁ HIV ହେବାର ଆଶଙ୍କା ରହିଛି।
ଦିଲ୍ଲୀ ଏମ୍ସରେ ରାମଭବନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିଛି। ୮ ଜଣିଆ ଏକ ଡାକ୍ତରୀ ଟିମ ତାଙ୍କ ମାନସିକ, HIV ଏବଂ ଫିଡୋଫାଇଲ ଟେଷ୍ଟ କରୁଛନ୍ତି, ଯଦ୍ଦ୍ୱାରା ପିଲାମାନଙ୍କୁ ରୋଗ ଦାଉରୁ ରକ୍ଷା କରାଯାଇପାରିବ।
ସମ୍ପର୍କୀୟ ପିଲାଙ୍କୁ ବି ଛାଡ଼ି ନ ଥିଲେ
ତଦନ୍ତରୁ ଜଣାପଡିଛି, ରାମଭବନ ୪ ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ୨୨ ବର୍ଷୀୟ ଯୁବକଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ସହିତ ଯୌନ ସମ୍ବନ୍ଧ ବନାଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା, ରାମଭବନ ତାଙ୍କ ସମ୍ପର୍କୀୟଙ୍କ ପିଲାମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ, ସେମାନଙ୍କୁ ବି ଯୌନ ଶିକାର କରିଥିଲେ।
ସ୍ତ୍ରୀ ଗିରଫ
ଗତ ଡିସେମ୍ବର ୨୯ରେ ସିବିଆଇ ରାମଭବନଙ୍କ ସ୍ତ୍ରୀ ଦୁର୍ଗାବତୀଙ୍କୁ ଗିରଫ କରିଥିଲା। ପୋକସୋ ଅଧିନିୟମ ଧାରା ୧୭(ବାଳ ଯୌନ ଶୋଷଣ ଅପରାଧରେ ସାହାଯ୍ୟ କରିବା ଏବଂ ଲୁଚାଇବା) ଏବଂ ଧାରା ୧୨୦ବି(ଷଡ଼ଯନ୍ତ୍ରରେ ସାମିଲ ହେବା) ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା।
୧୬ ନଭେମ୍ବରରେ ସ୍ୱାମୀ ହୋଇଥିଲେ ଗିରଫ
କୁନି ପିଲାମାନଙ୍କୁ ଯୌନ ଶୋଷଣ କରିବା ଏବଂ ସେମାନଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋକୁ ପର୍ଣ୍ଣ ସାଇଟକୁ ବିକ୍ରି କରିବା ମାମଲାରେ ସିବିଆଇ ୧୬ ନଭେମ୍ବରରେ ଜେଇ ରାମଭବନଙ୍କୁ ଗିରଫ କରିଥିଲା। ସେ ପାଖାପାଖି ୧୦ ବର୍ଷ ହେବ ଏହି କୁକର୍ମ କରି ଆସୁଥିବା ନେଇ ଗୁରୁତର ଅଭିଯୋଗ ରହିଥିଲା। ଘର ଯାଞ୍ଚ ବେଳେ ସିବିଆଇ ରାମଭବନଙ୍କ ଘରୁ ନଗଦ ୮ ଲକ୍ଷ ଟଙ୍କା, ୧୨ ମୋବାଇଲ ଫୋନ, ଲାପଟପ, ୱେବ କ୍ୟାମେରା ଆଦି ଜବତ କରିଥିଲା।