‘ତୁରନ୍ତ ୬୦ ହାତୀଙ୍କୁ ହତ୍ୟା କର’, କାହିଁକି ଏଭଳି ଆଦେଶ ଦେଲେ ଏହି ଦେଶର ସରକାର, ଜାଣନ୍ତୁ
ହାତୀ-ମଣିଷ ସଂଘର୍ଷର ଖବର ସବୁବେଳେ ଆମେ ଶୁଣିବାକୁ ପାଇଥାଉ। କିନ୍ତୁ ଏମିତି ଏକ ଦେଶ ରହିଛି, ଯେଉଁଠି ହାତୀଙ୍କୁ ମାରିବା ପାଇଁ ସେଠାକାର ସରକାର ଆଦେଶ ଦେଇଛନ୍ତି। ପରିସ୍ଥିତିକୁ ନଜରରେ ରଖି ବୋତ୍ସଓ୍ଵାନା ଦେଶର ସରକାର ୬୦ଟି ହାତୀଙ୍କୁ ମାରିବା ପାଇଁ ୬ଟି ଲାଇସେନ୍ସ ଜାରି କରିଛନ୍ତି। କେବଳ ଏତିକି ନୁହେଁ, ପ୍ରତ୍ୟେକ ହାତୀଙ୍କ ଦାମ୍ ମଧ୍ୟ ସ୍ଥିର କରିଛନ୍ତି।
ଲାଇସେନ୍ସରେ ଲେଖାଯାଇଛି, ପ୍ରତ୍ୟେକ ହାତୀଙ୍କ ଦାମ୍ ରହିଛି ୩୧ ଲକ୍ଷ ଟଙ୍କା। ଅର୍ଥାତ୍ ହାତୀମାନଙ୍କୁ ମାରିବା ପରେ ଲାଇସେନ୍ସ ପାଇଥିବା ସଂସ୍ଥାକୁ ସେତିକି ଟଙ୍କା ଜମା କରିବାକୁ ହେବ, ଯାହାଫଳରେ ସରକାରଙ୍କୁ ୧୮.୬୦ କୋଟି ଟଙ୍କାର ଫାଇଦା ହେବ।
ବୋତ୍ସଓ୍ଵାନାର ରାଷ୍ଟ୍ରପତି ମୋକବିତ୍ସି ମସିସି ହାତୀମାନଙ୍କୁ ମାରିବା ପାଇଁ ୫ ବର୍ଷର ପୁରୁଣା ଆଦେଶକୁ ପୁଣିଥରେ ଦୋହରାଇଛନ୍ତି। କାରଣ, ବର୍ତ୍ତମାନ ଦେଶରେ ହାତୀ ସଂଖ୍ୟା ଅଧିକ ମାତ୍ରାରେ ବଢ଼ିଯାଇଛି।
୧୯୯୦ରେ ଏଠାରେ ହାତୀ ସଂଖ୍ୟା ଥିଲା ୮୦ ହଜାର। ଏବେ ଏହା ବଢ଼ି ୧.୩୦ ଲକ୍ଷରେ ପହଞ୍ଚିଛି। ପ୍ରାୟତଃ ସବୁବେଳେ ହାତୀମାନେ ଜନବସତି ଭିତରକୁ ପଶିଆସି ଅନେକ କ୍ଷତି ଘଟାଉଛନ୍ତି। କେବେ କେବେ ମଣିଷମାନେ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି।
ତେବେ ଯେଉଁ ୬ଟି ଏଜେନ୍ସିକୁ ହାତୀ ମାରିବାର ଲାଇସେନ୍ସ ଦିଆଯାଇଛି, ସେମାନେ ହାତୀ ମାରିବା ପରେ ହାତୀଙ୍କ ଅଙ୍ଗଗୁଡ଼ିକୁ ବିକ୍ରି କରି ଅର୍ଥ ରୋଜଗାର କରିବେ। କିନ୍ତୁ ଯେଉଁମାନେ ହାତୀର ଦାମ୍ ଦେଇପାରିବ ନାହିଁ, ସେମାନଙ୍କୁ ହାତୀ ମାରିବାକୁ ଦିଆଯିବ ନାହିଁ ବୋଲି ସରକାର କହିଛନ୍ତି।