୧୦ ମିନିଟ୍‌ ବିଳମ୍ବରେ ପହଞ୍ଚିଲେ ଶିକ୍ଷୟିତ୍ରୀ, ହଠାତ୍‌ ରାଗିଯାଇ ଚପଲ୍‌ ଖୋଲି ସେକିଲେ ସ୍କୁଲ ପ୍ରିନ୍ସିପାଲ୍‌…ଦେଖନ୍ତୁ ଭାଇରାଲ ଭିଡିଓ

ଉତ୍ତର ପ୍ରଦେଶର ଏକ ସରକାରୀ ସ୍କୁଲରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବରେ ସ୍କୁଲ ଆସିବା କାରଣରୁ ସ୍କୁଲର ପ୍ରିନ୍ସିପାଲ୍‌ ଜଣେ ଶିକ୍ଷୟିତ୍ରୀଙ୍କୁ ଚପଲ୍‌ରେ ଖୁବ୍‌ ପିଟିଛନ୍ତି। ପ୍ରିନ୍ସିପାଲ୍‌ ଜଣକ ଏତେ ରାଗିଯାଇ ଥିଲେ ଯେ ସ୍କୁଲରେ ହିଁ ପିଲାମାନଙ୍କ ସାମ୍ନାରେ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦୟ ଭାବେ ପିଟି ଚାଲିଥିଲେ।

ଏହି ସମୟରେ ସେଠାରେ ଉପସ୍ଥିତ ଅନ୍ୟମାନେ ବିରୋଧ କରିଥିଲେ ମଧ୍ୟ ପ୍ରିନ୍ସିପାଲ୍‌ ଜଣକ ଆଦୌ କାହାରି କଥା ଶୁଣି ନ ଥିଲେ। ଏବେ ଘଟଣାର ପୂରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ଘଟିଛି ଲଖିମପୁର ଖେରି ଜିଲ୍ଲାର ମହଙ୍ଗୁ ଖେଡ଼ା ସ୍କୁଲରେ।

ତେବେ ଏହି ଘଟଣା ପରେ ସମ୍ପୃକ୍ତ ପ୍ରିନ୍ସିପାଲ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବିତ କରି ଦିଆଯାଇଛି। ଜିଲ୍ଲା ବେସିକ୍‌ ଶିକ୍ଷା ଅଧିକାରୀ ଲକ୍ଷ୍ମୀକାନ୍ତ ପାଣ୍ଡେଙ୍କ ସୂଚନା ମୁତାବକ, ଭାଇରାଲ ଭିଡିଓ ଆଧାରରେ ପ୍ରିନ୍ସିପାଲ୍‌ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ରିପୋର୍ଟ ମୁତାବକ, ଜଣେ ଶିକ୍ଷୟିତ୍ରୀ ୧୦ ମିନିଟ୍‌ ବିଳମ୍ବରେ ସ୍କୁଲରେ ପହଞ୍ଚିବାରୁ ପ୍ରିନ୍ସିପାଲ୍‌ ଅଜିତ୍‌ ବର୍ମା ହଠାତ୍‌ ରାଗି ଯାଇଥିଲେ। ଏହାପରେ ସେ ଶିକ୍ଷୟିତ୍ରୀଙ୍କୁ ଚପଲ୍‌ରେ ନିର୍ଧୁମ ପିଟିଥିଲେ। ଏହି ଘଟଣା ବେଳେ ଅନ୍ୟ ଲୋକଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଭାଇରାଲ ଭିଡିଓରେ ଏ ସମସ୍ତଙ୍କୁ ଦେଖାଯାଇ ପାରିବ। ଅନ୍ୟପଟେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.