ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ପରୀକ୍ଷା ବିଭ୍ରାଟ ମାମଲାର ତଦନ୍ତ କରିବ CBI । CBIକୁ ତଦନ୍ତ ଭାର ହସ୍ତାନ୍ତର କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଏପଟେ ଏନଟିଏ ମହାନିର୍ଦ୍ଦେଶକ ପଦରୁ ହଟିଲେ ସୁବୋଧ କୁମାର ।

ତାଙ୍କ ସ୍ଥାନରେ ରିଟାୟର୍ଡ ଆଇଏଏସ ପ୍ରଦୀପ ସିଂ ଖରୋଲା ଏନଟିଏର ନୂଆ ଡିଜି ହେବେ । ପ୍ରଦୀପ ସିଂ ଖରୋଲା କର୍ଣ୍ଣାଟକ କ୍ୟାଡରର ଆଇଏଏସ ଅଧିକାରୀ । ସେ ପୂର୍ବରୁ ଏକାଧିକ ମନ୍ତ୍ରାଳୟରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଏବେ ସେ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନ୍ (ଆଇଟିପିଓ)ର ସଭାପତି ଓ ଏମ୍ ଡି ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।

ନିକଟରେ ନିଟ ପେପର ଲିକ ମାମଲା ଓ ନିଟ୍ ଏନଇଟି ପରୀକ୍ଷା ରଦ୍ଦ ମାମଲାରେ ଏନଟିଏକୁ ନେଇ ପ୍ରଶ୍ନ ଉଠିଥିଲା । ୨୦୧୮ ମାର୍ଚ୍ଚ ୧ ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନସୀ ଗଠନ ହୋଇଥିଲା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ ସୀ- ଏନଟିଏ ଦେଶର ତିନି ପ୍ରମୁଖ ପରୀକ୍ଷା ନିଟ୍ , ଜେଇଇ ଓ ସିୟୁଇଟି ପରିଚାଳନା କରିଥାଏ ।

ନିଟ୍ ମାଧ୍ୟମରେ ଦେଶରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥାଏ । ଚଳିତ ବର୍ଷ ନିଟ୍ ୟୁଜି ପରୀକ୍ଷା ନେଇ ବିବାଦ ଉଠିଛି । ଏପଟେ ଆଜି ହେବାକୁ ଥିବା NEET-PG ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ପରବର୍ତ୍ତୀ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ହେବ । ଏପଟେ ଏହି ମାମଲାରେ ବିହାର ପୋଲିସ୍ ଗତକାଲି ଝାଡଖଣ୍ଡରୁ ୬ ଜଣଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଏହି ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।

You might also like