ସିଏମ୍ ଯୋଗୀ, କେନ୍ଦ୍ର ମନ୍ତ୍ରୀ ରାଜନାଥଙ୍କ ସମେତ ଏହି ଭିଆଇପିଙ୍କ ସୁରକ୍ଷାରୁ ହଟିବ NSG, ମୁତୟନ ହେବେ ସିଆର୍ପିଏଫ୍

କେନ୍ଦ୍ର ସରକାର ଦେଶର ପ୍ରମୁଖ ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ସୂତ୍ର ଅନୁସାରେ, ସରକାର ଭିଆଇପି ସୁରକ୍ଷାରୁ NSG (ଏନଏସଜି)କୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଅତ୍ୟଧିକ ବିପଦପୂର୍ଣ୍ଣ ୯ ଜଣ ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱ ଆସନ୍ତା ମାସ ସୁଦ୍ଧା CRPF (ସିଆରପିଏଫ)କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୯ ଜଣଙ୍କ ତାଲିକାରେ ସିଏମ ଯୋଗୀଙ୍କ ସମେତ ଅନେକ ନେତାଙ୍କ ନାମ ରହିଛି ।
ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଯେଉଁ ଭିଆଇପିଙ୍କ ସୁରକ୍ଷାରେ ଏନଏସଜି ମୁତୟନ ଅଛନ୍ତି, ଏବେ ସେମାନଙ୍କ ସୁରକ୍ଷାରେ ନିୟୋଜିତ ହେବେ ସିଆରପିଏଫ । ଭିଆଇପି ଲୋକଙ୍କ ସୁରକ୍ଷା ପର୍ଯ୍ୟାୟକ୍ରମେ ଏନଏସଜିରୁ ସିଆରପିଏଫକୁ ହସ୍ତାନ୍ତର କରାଯିବ । ଏହି ପୂରା ପରିବର୍ତ୍ତନ ପାଖାପାଖି ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।
ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ‘ବ୍ଲାକ୍ କ୍ୟାଟ୍’ କମାଣ୍ଡୋ ଦ୍ୱାରା ସୁରକ୍ଷିତ ଅଛନ୍ତି ‘ଜେଡ ପ୍ଲସ୍’ ସ୍ତରର ୯ ଜଣ ଭିଆଇପି । ସେମାନେ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପି ଅଧ୍ୟକ୍ଷ ମାୟାବତୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିପିଏପି ସଭାପତି ଗୁଲାମ ନବୀ ଆଜାଦ, ନ୍ୟାସନାଲ କନଫରେନ୍ସ (ଏନସି)ର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ।