ବଢୁଥିବା ପ୍ରଦୂଷଣ ଯୋଗୁଁ ଦିଲ୍ଲୀ-ଏନସିଆରରେ ପୁଣି GRAP-3 ଲାଗୁ, ଲାଗିବ ଏସବୁ ପ୍ରତିବନ୍ଧକ

ଦିଲ୍ଲୀରେ ପ୍ରଦୂଷଣ ପୁଣି ସ୍ଥିତି ବିଗାଡିବାରେ ଲାଗିଛି । ଏଥିପାଇଁ ଦିଲ୍ଲୀରେ ଗ୍ରାପ-୩ ଲାଗୁ କରାଯାଇଛି । ଦିଲ୍ଲୀରେ ଏକ୍ୟୁଆଇ ମାନ ୩୫୧ ରେ ପହଞ୍ଚିଛି । ଦିଲ୍ଲୀରେ ବଦଳୁଥିବା ପାଣିପାଗ ଯୋଗୁଁ ଏକ୍ୟୁଆଇ ବହୁତ ଖରାପ ଶ୍ରେଣୀରେ ପହଞ୍ଚିଛି । ଯେଉଁଥି ପାଇଁ ଗ୍ରାପ-୩ ଲାଗୁ ହୋଇଛି ।

ଗ୍ରାପ-୩ ଲାଗୁ ଯୋଗୁଁ ଦିଲ୍ଲୀ-ଏନସିଆରରେ ୫ମ କ୍ଲାସ ଯାଏଁ ସ୍କୁଲ ହାଇବ୍ରିଡ ମୋଡରେ ଚାଲିବ । ଗ୍ରାପ-୩ ଯୋଗୁଁ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ, ଗୌତମବୁଦ୍ଧ ନଗର ସ୍କୁଲର ୫ମ କ୍ଲାସ ଯାଏଁ ଅନଲାଇନ କ୍ଲାସ ଏବଂ ଅଫଲାଇନ ମୋଡରେ ହେବ ।

ଏହି ସମୟରେ ବିଏସ-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଗାଡି ଉପରେ ପ୍ରତିବନ୍ଧକ ଲାଗିବ । ଏହାସହିତ ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ଛୋଟ ମାଲବାହକ ଗାଡିରେ ରୋକ୍ ଲଗାଯାଇଛି । କେବଳ ଜରୁରୀ ସେବା ସହିତ ଜଡିତ ଗାଡି ଚଳାଚଳ କରିବ । ଏହାସହିତ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଅଫିସ ଟାଇମିଂରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇପାରେ ।

ଗ୍ରାପ୍‌-୩ ଅଧୀନରେ ଦିଲ୍ଲୀ-ଏନସିଆରରେ ନିର୍ମାଣ ଏବଂ ଭାଙ୍ଗିବା ଉପରେ ପ୍ରତିବନ୍ଧକ ରହିବ । ରେଳ, ମେଟ୍ରୋ, ବିମାନବନ୍ଦର, ଆଇଏସ୍‌ବିଟି, ଜାତୀୟ ସୁରକ୍ଷା, ପ୍ରତିରକ୍ଷା, ଜାତୀୟ ମହତ୍ତ୍ୱ ପ୍ରକଳ୍ପଗୁଡିକୁ ବାଦ୍‌ ଦିଆଯିବ । ପ୍ରଦୂଷଣ ସୃଷ୍ଟି କରୁ ନ ଥିବା କାର୍ଯ୍ୟ ଯେପରି, ପାଇପ୍‌ କାମ, ଘର ଭିତର ସାଜସଜ୍ଜା, ବୈଦ୍ୟୁତିକ ଏବଂ କାଠ କାମ ଆଦି କରିହେବ । କିନ୍ତୁ ଇଟା ଭାଟ୍ଟି, ହଟ୍‌ ମିକ୍ସ ପ୍ଲାଣ୍ଟ୍‌, ପଥର କ୍ରସର୍ କାର୍ଯ୍ୟ କରାଯିବ ନାହିଁ ।

ରାଜ୍ୟ ସରକାର ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ୍‌-୪ ଡିଜେଲ କାରଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇପାରନ୍ତି । ଯେଉଁ ଶିଳ୍ପ କ୍ଷେତ୍ରରେ ପିଏନ୍‌ଜି ଭିତ୍ତିଭୂମି ଏବଂ ଯୋଗାଣ ନାହିଁ, ସେଠାରେ ସ୍ୱୀକୃତ ଇନ୍ଧନ ବ୍ୟବହାର କରୁ ନ ଥିବା ଉଦ୍ଦ୍ୟୋଗ ସପ୍ତାହରେ କେବଳ ପାଞ୍ଚ ଦିନ କାର୍ଯ୍ୟ କରିପାରିବେ ।

ସୂଚନାଯୋଗ୍ୟ, ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଥିବା ଯୋଗୁଁ ଗ୍ରାପ-୪ ଲାଗୁ ହୋଇଥିଲା । ସୁପ୍ରିମକୋର୍ଟଙ୍କ ବିନା ନିର୍ଦ୍ଦେଶରେ ଗ୍ରାପ-୪ ଉଠିପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ଦିନ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗ୍ରାପ-୪ ଉଠିଥିଲା ।