ଡିଜେଲ୍ ଜେନେରେଟର, କୋଇଲା ତନ୍ଦୁର ଉପରେ ଲାଗିଲା ରୋକ୍; ଦିଲ୍ଲୀରେ GRAP ଫେଜ୍-୨ ଲାଗୁ

ଦିଲ୍ଲୀ-ଏନସିଆରରେ ବାୟୁ ଆହୁରି ଅଧିକ ବିଷାକ୍ତ ହୋଇଯାଇଛି । ଦିଲ୍ଲୀର ଆନନ୍ଦ ବିହାରରେ ଆଜି ଏୟାର କ୍ଵାଲିଟି ଇଣ୍ଡେକ୍ସ (AQI) ୩୭୦ ଅତିକ୍ରମ କରିଛି । ଜାହାଙ୍ଗିରପୁରୀରେ AQI ଇଣ୍ଡେକ୍ସ ୩୬୦ ଥିବା ବେଳେ ଶାଦୀପୁରରେ ୩୫୦ ଉପରେ ରହିଛି । ଦିନକୁ ଦିନ ବାୟୁ ବିଷାକ୍ତ ହେବା ଭିତରେ ମଙ୍ଗଳବାରଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ଫେଜ୍-୨ ଲାଗୁ କରାଯାଇଛି ।

ଆଜି ସକାଳ ୮ଟାରୁ ଦିଲ୍ଲୀରେ ଡିଜେଲଚାଳିତ ଜେନେରେଟର ଉପରେ ପ୍ରତିବନ୍ଧକ ଲଗାଯାଇଛି । କୋଇଲାଚାଳିତ ତନ୍ଦୁର ମଧ୍ୟ ବନ୍ଦ କରି ଦିଆଯାଇଛି । ଦିଲ୍ଲୀ ସରକାରଙ୍କର ‘ରେଡ୍ ଲାଇଟ ଅନ୍ ଗାଡ଼ି ଅଫ୍’ ଅଭିଯାନ ବି ଆଜିଠାରୁ ଆରମ୍ଭ ହୋଇଛି । ଏତିକି ନୁହେଁ, ଦିଲ୍ଲୀରେ ଗାଡ଼ିଗୁଡ଼ିକର ଯାତାୟାତକୁ ବନ୍ଦ କରିବା ପାଇଁ ପାର୍କିଂ ଫିସ୍ ମଧ୍ୟ ବଢ଼ାଇ ଦିଆଯାଇଛି ।

ଦିଲ୍ଲୀରେ ବାୟୁର ଖରାପ ଗୁଣାବତ୍ତାକୁ ନଜରରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ GRAP ଫେଜ୍-୨ ଲାଗୁ କରିଛି । ଗ୍ରାପ୍ ଫେଜ୍-୨ ଲାଗୁ ସମୟରେ ଜରୁରୀକାଳୀନ ଏବଂ ଆବଶ୍ୟକ ସେବାକୁ ଛାଡ୍ କରାଯାଇଛି । ଏଥିରେ ଚିକିତ୍ସା, ରେଳ ସେବା, ମେଟ୍ରୋ, ଏମ୍ଆରଟିଏସ୍, ବିମାନ ସେବା ଏବଂ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଆଦି ଅନ୍ତର୍ଭୁକ୍ତ ରହିଛି ।

ଏହି ସମୟରେ ପ୍ରାକୃତିକ ଗ୍ୟାସ, ବାୟୋ ଗ୍ୟାସ, ଏଲପିଜିରେ ଚାଲୁଥିବା ଜେନେରେଟର ଆଦି ଚାଲୁ ରହିପାରିବ । ସିଏନଜି, ଇଲେକ୍ଟ୍ରିକ୍ ବସ୍ ଏବଂ ମେଟ୍ରୋ ସର୍ଭିସକୁ ବଢ଼ାଯିବ । ପ୍ରତିଦିନ ରାସ୍ତାରେ ମେକାନିକାଲ୍ ବା ଭାକ୍ୟୁମ ସ୍ଵିପିଙ୍ଗ ସହ ପାଣି ସିଞ୍ଚନ କରାଯିବ ।

କିପରି ମପାଯାଏ ବାୟୁର ଗୁଣବତ୍ତା

ଯଦି କୌଣସି ଅଞ୍ଚଳର AQI ଜିରୋରୁ ୫୦ ମଧ୍ୟରେ ରହିଛି, ତେବେ ‘ଭଲ’ ବୋଲି ଗଣାଯାଏ । ୫୧ରୁ ୧୦୦ ମଧ୍ୟରେ ରହିଲେ AQI ‘ସନ୍ତୋଷଜନକ’, ୧୦୧ରୁ ୨୦୦ ମଧ୍ୟରେ ‘ମଧ୍ୟମ’ ବୋଲି ବିବେଚନା କରାଯାଏ । ଆଉ ଯଦି କୌଣସି ଜାଗାର AQI ୨୦୧ରୁ ୩୦୦ ମଧ୍ୟରେ ରୁହେ, ତା’ ହେଲେ ଏହା ‘ଖରାପ’ ଶ୍ରେଣୀରେ ଆସିଥାଏ । ୩୦୧ରୁ ୪୦୦ ମଧ୍ୟରେ ‘ଅତି ଖରାପ’ ଏବଂ ୪୦୧ରୁ ୫୦୦ ମଧ୍ୟରେ ରହିଲେ, AQIକୁ ‘ଗମ୍ଭୀର’ ଶ୍ରେଣୀରେ ରଖାଯାଇଥାଏ । ବାୟୁ ପ୍ରଦୂଷଣ ଯୋଗୁ ଅନେକ ପ୍ରକାର ରୋଗ ମଧ୍ୟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like