ଜମ୍ମୁ-କାଶ୍ମୀର: ଶ୍ରୀନଗରର ସଣ୍ଡେ ବଜାରରେ ଗ୍ରେନେଡ୍ ଆକ୍ରମଣ, ୧୦ରୁ ଊର୍ଦ୍ଧ୍ୱ ଆହତ

ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ରବିବାର ଗ୍ରେନେଡ୍ ଆକ୍ରମଣ ହୋଇଛି । ଏଠାରେ ଟିଆରସି (ପର୍ଯ୍ୟଟନ ବିଭାଗର ସ୍ୱାଗତ କେନ୍ଦ୍ର) ଅଫିସ୍ ନିକଟ ସଣ୍ଡେ ବଜାରରେ ଗ୍ରେନେଡ୍ ଆକ୍ରମଣ କରାଯାଇଛି । ଫଳରେ ସଣ୍ଡେ ବଜାରରେ ଥିବା ଲୋକମାନେ ଏହା ସଂସ୍ପର୍ଶରେ ଆସିଥିଲେ । ଗ୍ରେନେଡ୍ ବିସ୍ଫୋରଣରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି ।

ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି । ସେପଟେ ଗତକାଲି ଖାନୟାରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି ।

ଅଧିକାରୀମାନେ କହିଛନ୍ତି, ଆତଙ୍କୀମାନଙ୍କୁ ଖୋଜିବା ପାଇଁ ପୋଲିସ ଓ ସାମରିକ ବାହିନୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ଗ୍ରେନେଡ୍ ବିସ୍ଫୋରଣ ଯୋଗୁ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା ଏବଂ ଦୋକାନୀମାନେ ଲୁଚିବା ପାଇଁ ଏଠିସେଠି ଦୌଡ଼ିଥିଲେ ।

ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶ୍ରୀନଗରରେ ହୋଇଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ଲେଖିଛନ୍ତି, ଗତ କିଛି ଦିନ ହେବ ଘାଟିର ଅନେକ ଅଞ୍ଚଳରୁ ଆକ୍ରମଣ ଏବଂ ଗୁଳି ବିନିମୟ ଖବର ଆସୁଛି ।

ସିଏମ୍ କହିଛନ୍ତି, ଶ୍ରୀନଗରର ସଣ୍ଡେ ମାର୍କେଟରେ ନିର୍ଦ୍ଦୋଷ ଦୋକାନୀମାନଙ୍କ ଉପରେ ଗ୍ରେନେଡ୍ ଆକ୍ରମଣ ଖବର ଅତ୍ୟନ୍ତ ବିବ୍ରତିକର । ନିରୀହ ଲୋକମାନଙ୍କୁ ଟାର୍ଗେଟ୍ କରିବାର କୌଣସି ଯଥାର୍ଥତା ହୋଇପାରିବ ନାହିଁ । ଏହି ଆକ୍ରମଣକୁ ରୋକିବା ପାଇଁ ଯେତେ ଜଲଦି ସୁରକ୍ଷା ତନ୍ତ୍ର ପ୍ରୟାସ କରିବା ଉଚିତ୍, ଯେପରି ବିନା କୌଣସି ଭୟରେ ଲୋକେ ଜୀବନ ବଞ୍ଚିପାରିବେ ।

You might also like