ହସ୍ପିଟାଲ ସାଜିଲା ବାହାବେଦୀ, କନ୍ୟାକୁ କୋଳରେ ଧରି ସାତ ଫେରା ମାରିଲେ ବର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ବେୱାର ସହରରେ ଏକ ହୃଦୟସ୍ପର୍ଶୀ ବିବାହ ବେଶ ଚର୍ଚ୍ଚାରେ ରହିଛି ।  ଏହି ବିବାହ କେବଳ ରୀତିନୀତି ନଥିଲା ବରଂ ଏହା ପ୍ରକୃତ ପ୍ରେମ, ବୁଝାମଣା ଏବଂ ସମ୍ପର୍କରେ ବିଶ୍ୱାସର ଏକ ଉଦାହରଣ ପାଲଟିଥିଲା । ବେୱାରର ପରମ ସିଟି କଲୋନି ନିବାସୀ ଜଗଦୀଶ ସିଂହ ସିକରୱାରଙ୍କ ଭଣଜା ଆଦିତ୍ୟ ସିଂହଙ୍କ ବିବାହ ମେ ମାସ ୧ ତାରିଖରେ କୁମ୍ଭରାଜର ନନ୍ଦିନୀଙ୍କ ସହିତ ହେବାକୁ ଥିଲା ।

ବିବାହ ମୁହୂର୍ତ୍ତ ଅକ୍ଷୟ ତୃତୀୟା ଭଳି ଏକ ପବିତ୍ର ଦିନରେ ସ୍ଥିର ହୋଇଥିଲା, କିନ୍ତୁ ବିବାହର ପାଞ୍ଚ ଦିନ ପୂର୍ବରୁ ଏପ୍ରିଲ ୨୪ ତାରିଖରେ ନନ୍ଦିନୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା । ତାଙ୍କୁ ଟାଇଫଏଡ୍ ହୋଇଥିଲା ଏବଂ ଅବସ୍ଥା ଏତେ ଗମ୍ଭୀର ଥିଲା ଯେ ଡାକ୍ତରମାନେ ତାଙ୍କୁ ପଞ୍ଜାବୀ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ ଏବଂ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ଏଭଳି ସମୟରେ ବିବାହକୁ ସ୍ଥଗିତ ରଖିବାକୁ ଲୋକେ ନିଷ୍ପତ୍ତି ନେଇଥାନ୍ତେ । କିନ୍ତୁ ଏଭଳି ଏକ ମୁହୁର୍ତରେ ଉଭୟ ପରିବାର ପରମ୍ପରା ବାହାରକୁ ଯାଇ ଏକ ଅନନ୍ୟ ନିଷ୍ପତ୍ତି ନେଇଥିଲେ ଯାହାକି ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହି ବାହାଘରର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଡାକ୍ତରଙ୍କ ଅନୁମତି ଏବଂ ହସ୍ପିଟାଲ ପ୍ରଶାସନର ସମ୍ମତି କ୍ରମେ, ହସ୍ପିଟାଲରେ ହିଁ ମଣ୍ଡପ ସଜାଯାଇଥିଲା ଏବଂ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ଗତକାଲି ନିର୍ଦ୍ଧାରିତ ସମୟରେ, ଆଦିତ୍ୟ ସିଂହ ବ୍ୟାଣ୍ଡ ଏବଂ ଶୋଭାଯାତ୍ରା ସହିତ ସିଧାସଳଖ ହସ୍ପିଟାଲରେ ପହଞ୍ଚିଥିଲେ ।  ହସ୍ପିଟାଲର ଏକ କୋଠରୀକୁ ବିବାହ ସ୍ଥାନରେ ପରିଣତ କରାଯାଇଥିଲ ।  କିନ୍ତୁ ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ସେତେବେଳେ ଆସିଥିଲା ଯେତେବେଳେ ବର ଆଦିତ୍ୟ ଅସୁସ୍ଥ କନ୍ୟା ନନ୍ଦିନୀକୁ ନିଜ କୋଳରେ ନେଇ ସାତଟି ପ୍ରତିଜ୍ଞା ନେଇଥିଲେ ।

ପ୍ରକୃତ ପ୍ରେମର ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ ରୋଗୀଙ୍କ ଆଖିରେ ଲୁହ ଆଣି ଦେଇଥିଲା ।   ସେଠାରେ ଉପସ୍ଥିତ ଲୋକମାନେ କହିଥିଲେ ଯେ ଏହି ବିବାହ କେବଳ ସମ୍ପର୍କର ଗଭୀରତାକୁ ଉଜ୍ଜ୍ୱଳ କରିନାହିଁ  ବରଂ ଏହା ମଧ୍ୟ ଦେଖାଇଛି ଯେ ଯେତେବେଳେ ଉଦ୍ଦେଶ୍ୟ ସଚ୍ଚୋଟ ହୁଏ, ପରିସ୍ଥିତି ଯେତେ କଷ୍ଟକର ହେଉନା କାହିଁକି, ସମାଧାନର ରାସ୍ତା ମିଳିଯାଏ  ।  ଏହି ବିବାହ କେବଳ ବେୱାର କିମ୍ବା ରାଜଗଡ଼ ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ଏହା ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଛି  ।

Also read: ଯୁଦ୍ଧ ଭୟରେ ଥରହର ପାକ : ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ଦେଶବାସୀଙ୍କୁ କହିଲା ପାକିସ୍ତାନ ସରକାର