ବାଣ ଫୁଟାଇବାକୁ ସାଇଡ ମାଗିବାରୁ କନ୍ୟାର ଭାଇ ଉପରେ କାର୍ ଚଢାଇଦେଲେ ବରପକ୍ଷ, ଜଣେ ମୃତ, ୮ ଗୁରୁତର
ବାହାଘରରେ ବାଣ ଫୁଟାକୁ ନେଇ ବର ଓ କନ୍ୟା ପକ୍ଷରେ ହୋଇଥିବା ପାଟିତୁଣ୍ଡ ପାଲଟିଲା କାଳ । ଖୁସିର ମାହୋଲ କିଛି ସମୟରେ ଦୁଃଖର କଳା ବାଦଲ ଛାଇଗଲା । ବାଣ ଫୁଟାଇବାକୁ ମନା କରିବାରୁ କନ୍ୟାର ଭାଇ ସହିତ ଅନ୍ୟ ୮ ଜଣଙ୍କ ଉପରେ କାର ଚଢାଇଦେଲେ ବରପକ୍ଷ । ଫଳରେ ୯ ଜଣଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ରହିଛନ୍ତି । ରାଜସ୍ଥାନ ଦୋସା ଲାଲସୋଟ ଥାନା ଅର୍ନ୍ତଗତ ଲାଡପୁରା ଗାଁରେ ଘଟିଛି ଏଭଳି ଘଟଣା ।
ଖବର ମୁତାବକ, ଲାଡପୁରା ଗାଁର ଜଣେ ଯୁବତୀଙ୍କ ବିବାହ ଚାଲିଥିଲା । ଏହି ସମାରୋହରେ ବରଯାତ୍ରୀ ଆସିବା ପରେ ବାଣ ଫୁଟାକୁ ନେଇ ବିବାଦ ଦେଖାଦେଇଥିଲା । କନ୍ୟା ଭାଇ ବାଣ ଫୁଟାଇବା ନେଇ ବରଯାତ୍ରୀଙ୍କୁ ସାଇଡ୍ ମାଗିଥିଲେ । କିନ୍ତୁ ଏହାକୁ ନେଇ ଝଗଡା ହୋଇଥିଲା । ଏହାପରେ କନ୍ୟା ଭାଇ କ୍ୟାଟରିଂ କର୍ମଚାରୀକୁ ନେଇ ବରଯାତ୍ରୀଙ୍କୁ ମାଡ ମାରିଥିଲେ ।
ଏହାପରେ ରାଗରେ ଥିବା ବରଯାତ୍ରୀ ପ୍ରତିଶୋଧ ନେବା ପାଇଁ କନ୍ୟା ପକ୍ଷ ଉପରେ କାର୍ ଚଢାଇ ଦେଇଥିଲେ । ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମ୍ତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ମାଲିକ ମହେନ୍ଦ୍ର ମିଣାଙ୍କୁ ଗିରଫ କରିଛି । ତାଙ୍କୁ ପଚରାଉଚରା ଚାଲିଛି । ଘଟଣା ପରେ କନ୍ୟା ଘରେ ଦୁଃଖର ମାହୋଲ ରହିଛି ।