ଶସ୍ତା ହେବ କ୍ୟାନସର ଔଷଧ । ଜିଏସଟି କାଉନସିଲର ୫୪ତମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । କ୍ୟାନସର ଚିକିତ୍ସାରେ ବ୍ୟବହୃତ ଔଷଧ ଉପରେ ଜିଏସଟି କୁ ୫ ପ୍ରତିଶତକୁ ହ୍ରାସ କରିବାକୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସୁଦ୍ଧା କର୍କଟ ଔଷଧ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା । ସରକାରଙ୍କ ଏହି ବଡ ନିଷ୍ପତ୍ତି ଦ୍ୱାରା କ୍ୟାନସର ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ।
ସେପଟେ ହେଲଥ ଓ ଲାଇଫ୍ ଇନସ୍ୟୁରାନ୍ସ ଉପରୁ ଟିକସ୍ କମିବା ନେଇ ଆଲୋଚନା ହୋଇଛି । ବିଭିନ୍ନ କ୍ଷେତ୍ରରୁ ଦାବି ପରେ ବୈଠକରେ ଏ ସମ୍ପର୍କରେ ବିଶଦ୍ ଭାବେ ଆଲୋଚନା ହୋଇଛି । ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରେ ଜିଏସଟି ହ୍ରାସ ନେଇ ହୋଇଥିବା ଦାବି ପାଇଁ ଗଠନ କରାଯାଇଛି ଏକ ମନ୍ତ୍ରୀ ଗୋଷ୍ଠୀ । ଯାହା ଅକ୍ଟୋବର ମାସ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରିବ । ନଭେମ୍ବର ମାସରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
ସେହିପରି ଜିଏସଟି କାଉନସିଲ ନମକିନ୍ ଓ ସ୍ନାକ୍ସ ସାମଗ୍ରୀ ଉପରେ ଲାଗୁ ହେଉଥିବା ୧୮ ପ୍ରତିଶତ ଜିଏସଟିକୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି । କାର୍ ସିଟ୍ ଉପରେ ଜିଏସ୍ ଟି ୧୮ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ହେଲିକପ୍ଟର ଯୋଗେ ତୀର୍ଥଯାତ୍ରା ମଧ୍ୟ ଶସ୍ତା ହେବ । ହେଲିକପ୍ଟର ମାଧ୍ୟମରେ ତୀର୍ଥଯାତ୍ରା ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦାବିକୁ ଜିଏସଟି କାଉନସିଲ ଗ୍ରହଣ କରିଛି । ଏହାବାଦ୍ ୨ ହଜାର ଟଙ୍କାର ଡିଜିଟାଲ ପେମେଣ୍ଟ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ପ୍ରସ୍ତାବକୁ ଫିଟମେଣ୍ଟ କମିଟି ନିକଟକୁ ପଠାଯାଇଛି ।