ଦିନ ମଜୁରିଆଙ୍କୁ ନୋଟିସ, ୧.୯୬ କୋଟି ଟଙ୍କାର ନୋଟିସ ପଠାଇଲା ଜିଏସଟି ବିଭାଗ

ଗୁଜରାଟ: ଆଧାରର ଅପବ୍ୟବହାର କରି ସାଇବର ଠକେଇ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଗୁଜରାଟର ପାଟନ ଜିଲ୍ଲାରୁ ଆସିଛି ଏପରି ଆଶ୍ଚର୍ଯ୍ୟ କଲାଭଳି ଘଟଣା ।  ଜଣେ ଦିନ ମଜୁରିଆଙ୍କ ଉପରେ ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ ଲଗାଇଛି ଜିଏସଟି ବିଭାଗ । ଯାହାର ରୋଜଗାର ମାସକୁ ମାତ୍ର ୧୬ ହଜାର ଟଙ୍କା ତାଙ୍କୁ ନିକଟକୁ ପୁଣି ଆସିଛି ପାଖାପାଖି ୨କୋଟିର ଇନକମ୍ ଟ୍ୟାକ୍ସ ନୋଟିସ୍ ।  ଗୃହ ବିଭାଗରେ ଅଭିଯୋଗ କରିବା ପରେ ପୂରା ମାମଲା ଜଣା ପଡିଛି ।

ଗୁଜୁରାଟର ପାଟନ ଜିଲ୍ଲାର ସୁନୀଲ ନାମକ ଏକ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ମାସକୁ ରୋଜଗାର କରନ୍ତି ୧୬ହଜାର ଟଙ୍କା ।  କିନ୍ତୁ ଏବେ ତାଙ୍କ ଉପରେ ୧.୯୬ କୋଟି ଟଙ୍କାର ଟ୍ୟାକ୍ସ ଲଗାଇଛି ବେଙ୍ଗାଲୁରୁ ଜିଏସଟି ବିଭାଗ ? ଜିଏସ୍‌ଟି ବିଭାଗର ଏହି ନୋଟିସ୍ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଦତଳୁ ମାଟି ଖସିଯାଇଥିଲା ।  ଜିଏସଟି ନୋଟି ପାଇବା ପରେ ସୁନୀଲ୍ ଜଣେ ଓକିଲଙ୍କୁ ପରାମର୍ଶ କରିଥିଲେ ।  ଆଉ ତଦନ୍ତ ପରେ ଜଣାପଡିଥିଲା ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୧୧ଟି କମ୍ପାନୀ ଚାଲିଛି ।

ଆଉ ସେହି କମ୍ପାନୀ କୌଣସି ଟ୍ୟାକ୍ସ ଦେଉନାହିଁ । ଯେଉଁଥିପାଇଁ ସୁନୀଲଙ୍କ ପାଖକୁ ମୋଟା ଅଙ୍କର ଟ୍ୟାକ୍ସ ନୋଟିସ୍ ଆସିଛି । ଏହି କମ୍ପାନୀଗୁଡ଼ିକ ଉତ୍ତର ପ୍ରଦେଶର ଅଯୋଧ୍ୟା, ଆଲିଗଡ଼ ସମେତ ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମହାରାଷ୍ଟ୍ରର ନାଗପୁର, କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟରେ ଚାଲୁଛି ।  ବର୍ତ୍ତମାନ ଏହି ମାମଲା ଗାନ୍ଧିନଗର ସିଆଇଡି କ୍ରାଇମ ଦ୍ୱାରା ଅନୁସନ୍ଧାନ କରାଯାଉଛି । ତଦନ୍ତ ସମୟରେ ଜଣାପଡିଥିଲା ଯେ ସୁନୀଲଙ୍କ ନାମରେ ନକଲି ଆଧାର କାର୍ଡ ଏବଂ ପାନ କାର୍ଡ ବ୍ୟବହାର କରାଯାଇଥିଲା ।

ସୁନୀଲଙ୍କ ନାମରେ ଏତେ ସଂଖ୍ୟକ କମ୍ପାନୀ କିପରି ଏବଂ କିଏ ସୃଷ୍ଟି କଲା ? ଏହି କମ୍ପାନୀଗୁଡ଼ିକ ପ୍ରକୃତରେ ଚାଲୁଛି ନା କେବଳ ନାମକୁ ମାତ୍ର ରହିଛି ତାହା ତଦନ୍ତର ବିଷୟ । ସୁନୀଲ ଏବଂ ତାଙ୍କ ପରିବାର ଏହି ସମ୍ପୂର୍ଣ୍ଣ ମାମଲାରେ ଗୃହ ବିଭାଗ ଏବଂ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବା ପରେ ପୂରା ମାମଲା ସାମନାକୁ ଆସିଛି । ଅନୁସନ୍ଧାନ ପରେ ହିଁ ଏହା ସ୍ପଷ୍ଟ ହୋଇଯିବ ଯେ ୧୧ ଟି କମ୍ପାନୀ ଗଠନ କରିଥିବା ପ୍ରକୃତ ବ୍ୟକ୍ତିଙ୍କ ନାମ କ’ଣ, ସେ କେଉଁଠୁ ଆସିଛନ୍ତି ଏବଂ ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ଜଣା ପଡିବ ?

Also read:ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଲେ ଦିନ ମଜୁରିଆଙ୍କ ପୁଅ

You might also like