କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍ : ସହରାଞ୍ଚଳରେ ରାତି ୯ଟା ପରେ ଏଟିଏମକୁ ଟଙ୍କା ଯୋଗାଇବ ନାହିଁ ବ୍ୟାଙ୍କ

-ସହରାଞ୍ଚଳରେ ରାତି ୯ଟା ପରେ ଏଟିଏମକୁ କ୍ୟାସ୍ ଯୋଗାଣ ବନ୍ଦ
-ଗ୍ରାମାଞ୍ଚଳରେ ୬ଟା ପରେ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୪ଟା ପରେ ଯୋଗାଣ ବନ୍ଦ
-୨୦୧୯ ଫେବ୍ରୁଆରୀ ୮ ତାରିଖରୁ ଲାଗୁ ହେବ ଗାଇଡ୍ ଲାଇନ୍
-ଟଙ୍କା ଜମା ବେଳେ ଘଟୁଥିବା ଲୁଟ୍ ଘଟଣା ଯୋଗୁଁ ନୂଆ ଗାଇଡ୍ ଲାଇନ୍
ନୂଆଦିଲ୍ଲୀ : ଆସନ୍ତା ବର୍ଷରୁ ବଦଳିବ ଏଟିଏମରେ ଟଙ୍କା ଭର୍ତ୍ତି କରିବାର ନିୟମ କାନୁନ । ଏ ନେଇ ଗାଇଡ୍ ଲାଇନ୍ ଜାରି କରିଛି କେନ୍ଦ୍ର ଗ୍ହ ମନ୍ତ୍ରାଳୟ । ବ୍ୟାଙ୍କ ପକ୍ଷରୁ ରାତି ୯ଟା ପରେ ସହରାଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ ସଂଧ୍ୟା ୬ଟା ପରେ ନଗଦ ରାଶି ଏଟିଏମରେ ଜମା କରାଯିବ ନାହିଁ । ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅପରାହ୍ନ ୪ଟା ପରେ ଆଉ କ୍ୟାସ ଗାଡ଼ି ଏଟିଏମ୍ ପାଖକୁ ଯିବ ନାହିଁ । ଏଟିଏମରେ ଟଙ୍କା ଜମା ବେଳେ ବାରମ୍ବାର ଲୁଟ୍ ଏବଂ ଆକ୍ରମଣ ଘଟଣା ଘଟିବା ପରେ ଏଭଳି ନିର୍ଦ୍ଦେଶ ଜାରି କରିଛି କେନ୍ଦ୍ର ଗ୍ହ ମନ୍ତ୍ରାଳୟ । ଏହି ନିୟମ ୨୦୧୯ ଫେବ୍ରୁଆରୀ ୮ ତାରିଖରୁ ଲାଗୁ ହେବ । ନଗଦ ଟଙ୍କା ନେଇ ଯାଉଥିବା ଭ୍ୟାନ୍ ସହ ସବୁ ବେଳେ ଦୁଇଜଣ ସଶସ୍ତ୍ର ସୁରକ୍ଷା କର୍ମୀ, ଏଟିଏମ୍ ଅଧିକାରୀ ଓ ଜଣେ ସଂରକ୍ଷକ ରହିବେ । ଗାଡ଼ି ଗଲା ବେଳେ ଜଣେ ସୁରକ୍ଷା କର୍ମୀ ଡ୍ରାଇଭର ସହିତ ଆଗରେ ଓ ଆଉ ଜଣେ କ୍ୟାସ ବାକ୍ସ ସହିତ ପଛରେ ବସିବେ । କୌଣସି ବେସରକାରୀ ଏଜେନ୍ସି ଯଦି ଟଙ୍କା ଜମା କରିବାର ଦାୟିତ୍ବ ନେଇଥାନ୍ତି ତେବେ ସେ ଦିନ ୧୨ଟା ପୂର୍ବରୁ କାମ ଶେଷ କରିବେ । ଟଙ୍କା ଯାଉଥିବା ଗାଡ଼ିରେ ଜିପିଏସ୍ ଲାଗିବ, ଏକାଥରେ ୫ କୋଟି ଟଙ୍କାରୁ ଅଧିକ ନଗଦ ରାଶି ନେଇ ପାରିବେ ନାହିଁ । ଭିନ୍ନ ଭିନ୍ନ କ୍ୟାସ ବାକ୍ସ ପାଇଁ ଅଲଗା ଚାବି ଓ ଚେନ୍ ରହିବ । କ୍ୟାସ୍ ଭ୍ୟାନରେ ଆଗ ପଛ ସମେତ ୩ଟି ସିସିଟିଭି କ୍ୟାମେରା ଲାଗିବ । ଯେଉଁଥିରେ ୫ ଦିନର ରେକର୍ଡ଼ିଂ ରହିଲା ଭଳି ବ୍ୟବସ୍ଥା ହେବ । ଏସବୁ ଗାଇଡ୍ ଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ହୋଇଛି ।