୫୪୦ ଫୁଟ୍‌ ଗଭୀର ବୋରୱେଲରେ ପଡ଼ି ଫସିଲା ୧୮ ବର୍ଷୀୟ ଝିଅ, ଜାରି ରହିଛି ଉଦ୍ଧାର କାର୍ଯ୍ୟ….

ଗୁଜରାଟ : ରାଜସ୍ଥାନର ଏକ ବୋରୱେଲରେ ପଡ଼ି ଜୀବନ ହରାଇଥିବା ଚେତନାଙ୍କ ମାମଲା ଲୋକଙ୍କ ମନରୁ ଲିଭି ନଥିବାବେଳେ ବର୍ତ୍ତମାନ ଗୁଜରାଟରେ ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି । ଗୁଜୁରାଟର କୁଚ୍‌ ଜିଲ୍ଲାର ଏକ ଗାଁରେ ଜଣେ ଝିଅ ୫୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି । ତେବେ ଝିଅଟି ୪୯୦ ଫୁଟ ଗଭୀରରେ ଅଟକି ରହିଥିବା ଜଣାପଡ଼ିବା ପରେ ତାଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଝିଅଟିର ବୟସ ମାତ୍ର ୧୮ବର୍ଷ ।
ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୬.୩୦ ସମୟରେ କୁଚ ଜିଲ୍ଲାର ଭୁଜ ତାଲୁକା ଅନ୍ତର୍ଗତ କଣ୍ଡେରାଇ ଗ୍ରାମରେ ଏହି ଘଟଣା ଘଟିଥିଲା। ସେପଟେ, ଝିଅଟି ରାଜସ୍ଥାନର ଏକ ପ୍ରବାସୀ ଶ୍ରମିକ ପରିବାରର ବୋଲି ଭୁଜ୍‌ ଡେପୁଟି କଲେକ୍ଟର ଏବି ଯାଦବ କହିଛନ୍ତି ।

ଏହି ଘଟଣା ପରେ ପରିବାର ଲୋକେ ସ୍ଥାନୀୟ କତ୍ତୃପକ୍ଷଙ୍କ ପାଖରେ ଜଣାଇଥିଲେ । ଏତେ ବର୍ଷର ଝିଅଟିଏ ବୋରୱେଲରେ ପଡ଼ିଯିବା କଥା ଶୁଣି ପ୍ରାରମ୍ଭରେ, ଝିଅଟିର ବୟସକୁ ନେଇ ଅଧିକାରୀମାନେ ସନ୍ଦେହ କରିଥିଲେ । ତେବେ ସୋମବାର ଅପରାହ୍ନରେ କ୍ୟାମେରା ସାହାଯ୍ୟରେ ଝିଅଟି ବୋରୱେଲରେ ପଡ଼ିଥିବାର ନିଶ୍ଚିତ ହୋଇଥିବା କଲେକ୍ଟର ଏବି ଯାଦବ ସୂଚନା ଦେଇଛନ୍ତି । ଏହାପରେ ଘଟଣାସ୍ଥଳରେ ସେନା, ଏନଡିଆରଏଫ ଏବଂ ବିଏସଏଫ ଦଳ ପହଞ୍ଚି ଝିଅଟିକୁ ବଞ୍ଚାଇବା ପାଇଁ ରେସ୍‌କୁ୍ୟ ଅପରେସନ ଜାରି ରଖିଛନ୍ତି । କ୍ରମାଗତ ଭାବରେ ବୋରୱେଲକୁ ଅମ୍ଳଜାନ ଯୋଗାଇବା ସହ ଝିଅ ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ନାବାଳିକା ଜଣଙ୍କ ଅଚେତ ଅବସ୍ଥାରେ ରହିଥିବାବେଳେ ତାଙ୍କୁ ବାହାରକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ଅଧିକାରୀ କହିଛନ୍ତି ।