ଋଣ ଭାରରୁ ମୁକୁଳିବା ପାଇଁ ବ୍ୟବସାୟୀ ରଚିଥିଲେ ନିଜ ମୃତ୍ୟୁର ନାଟକ, ପୋଲିସ କଲା ପର୍ଦ୍ଦାଫାଶ

କୋଟିଏ ଟଙ୍କା ପାଇଁ ରଚିଲେ ମୃତ୍ୟୁର ନାଟକ । ହେଲେ ନାଟକର ପର୍ଦ୍ଦାଫାଶ କଲା ପୋଲିସ । ଏବେ ପୋଲିସ କବଳରୁ ବର୍ତ୍ତିବାକୁ ଫେରାର ହୋଇଛନ୍ତି ହୋଟେଲ ବ୍ୟବସାୟୀ । ଋଣ ଭାରରେ ବୁଡି ରହିଥିବା ଗୁଜରାଟର ଜଣେ ହୋଟେଲ ବ୍ୟବସାୟୀ ଜୀବନ ବୀମା ବାବଦରେ ଥିବା ୧ କୋଟି ୨୬ ଲକ୍ଷ ଟଙ୍କା ପାଇବାକୁ କରିଥିଲେ ନାଟକ ।

ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦର୍ଶାଇବାକୁ ନିଜ କାରକୁ ଏକ ନିଛାଟିଆ ସ୍ଥାନରେ ଜାଳି ଦେଇଥିଲେ । ଆଉ ଏହି ଦୁର୍ଘଟଣାରେ ନିଜର ମୃତ୍ୟୁ ହୋଇଥିବା ଦେଖାଇବାକୁ କାରରେ ଏକ ଶବ ମଧ୍ୟ ରଖିଥିଲେ। ବ୍ୟବସାୟୀଙ୍କ ପରିବାର ଲୋକେ ମୃତକଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ପୋଲିସର ସନ୍ଦେହ ହୋଇଥିଲା । ପୋଲିସ ମୃତକଙ୍କ ଡିଏନଏ ନମୁନା ଯାଞ୍ଚ କରିଥିଲା । ମୃତକଙ୍କ ଡିଏନଏ ନମୁନା ତାଙ୍କ ପରିବାର ଲୋକଙ୍କ ସହ ନମିଶିବାରୁ ଘଟଣାର ପର୍ଦ୍ଦାଫାଶ ହୋଇଥିଲା ।

ତଦନ୍ତରୁ ଜଣାପଡିଥିଲା ବ୍ୟବସାୟୀ ଜଣକ ହୋଟେଲ ନିର୍ମାଣ ପାଇଁ ବିପୁଳ ଋଣ କରିଥିଲେ । ହେଲେ ବ୍ୟବସାୟ ନଚାଲିବାରୁ ଋଣ ଭାର ବଢି ଚାଲିଥିଲା । ଋଣ ଯନ୍ତାରୁ ମୁକୁଳିବାକୁ କାର ଦୁର୍ଘଟଣାରେ ନିଜର ମୃତ୍ୟୁ ହୋଇଥିବା ଦର୍ଶାଇବାକୁ ନିଷ୍ପତ୍ତି ନେଇଥିଲେ । କାର ଦୁର୍ଘଟଣାରେ ମୃତ୍ୟୁ କ୍ଷେତ୍ରରେ ତାଙ୍କ ପରିବାରକୁ ୧ କୋଟି ଟଙ୍କା ମିଳିଥାନ୍ତା । ଏହାସହିତ ଅନ୍ୟାନ୍ୟ ବୀମା ବାବଦରେ ମଧ୍ୟ ୨୩ ଲକ୍ଷ ଟଙ୍କା ମିଳିଥାନ୍ତା ।

ଏହି ଯୋଜନାରେ ବ୍ୟବସାୟୀ ଜଣକ ନିଜ ଭାଇ ସମେତ କିଛି ସମ୍ପର୍କୀୟଙ୍କୁ ସାମିଲ କରିଥିଲେ । ଏହି ଯୋଜନାକୁ ସଫଳ କରିବା ପାଇଁ ପାଖରେ ଥିବା ଶ୍ମଶାନରୁ ମୃତଦେହ ମଧ୍ୟ ଯୋଗାଡ ହୋଇଥିଲା । ମୃତଦେହକୁ କାର ଭିତରେ ରଖି ନିଆଁ ଲଗାଇ ଦିଆଯାଇଥିଲା । ସବୁକିଛି ପ୍ଲାନ ଅନୁଯାୟୀ ହୋଇଥିଲେ ବି ପୋଲିସ ଆଖିରୁ ଖସି ପାରିନଥିଲା ଅପରାଧ । କାରରୁ ମିଳିଥିବା ମୃତଦେହ ବ୍ୟବସାୟୀଙ୍କ ନୁହେଁ ବୋଲି ଜଣାପଡିବା ପରେ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ଶେଷରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ପୋଲିସ ଏହି ମାମଲାରେ ସଂପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଷଡଯନ୍ତ୍ରକାରୀ ହୋଟେଲ ବ୍ୟବସାୟୀ ଏପର୍ଯ୍ୟନ୍ତ ଫେରାର ଅଛନ୍ତି ।