ପାକିସ୍ତାନର ବଲୁଚିସ୍ତାନରେ ବଡ଼ ହମ୍ଲା, ଗୁଳିମାଡ଼ରେ ୨୦ ଖଣି କର୍ମଚାରୀଙ୍କ ମୃତ୍ୟୁ

ପାକିସ୍ତାନର ଦକ୍ଷିଣ-ପଶ୍ଚିମରେ ବନ୍ଧୁକଧାରୀମାନେ ବଡ଼ ଆକ୍ରମଣ କରିଛନ୍ତି । ବଲୁଚିସ୍ତାନର ଡୁକି ଜିଲ୍ଲାରେ ଏକ କୋଇଲା ଖଣି ନିକଟରେ ଅତର୍କିତ ଗୁଳିମାଡ଼ ଯୋଗୁ ୨୦ ଖନନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଦେଶର ଅଶାନ୍ତ ବଲୁଚିସ୍ତାନ ରାଜ୍ୟରେ ଏହି ଭୀଷଣ ଆକ୍ରମଣ କରାଯାଇଛି ।
ତେବେ ଆସନ୍ତା କିଛି ଦିନ ମଧ୍ୟରେ ରାଜଧାନୀରେ ଏକ ପ୍ରମୁଖ ସୁରକ୍ଷା ଶିଖର ସମ୍ମିଳନୀ ଆୟୋଜନ ହେବାକୁ ଥିବାବେଳେ ଏପଟେ ବନ୍ଧୁକଧାରୀମାନେ ଖନନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ।
ପୋଲିସ ଅଧିକାରୀ ହମାୟୁନ ଖାନ ନାସିର କହିଛନ୍ତି, ବନ୍ଧୁକଧାରୀମାନେ ଗୁରୁବାର ବିଳମ୍ବିତ ରାତିରେ ଡୁକି ଜିଲ୍ଲାରେ ଏକ କୋଇଲା ଖଣି ନିକଟରେ ବଡ଼ ହମ୍ଲା କରିଛନ୍ତି । ଖଣି ନିକଟରେ ରହୁଥିବା ଲୋକଙ୍କ ଘରକୁ ବନ୍ଧୁକଧାରୀମାନେ ଘେରି ନେଇଥିଲେ ଏବଂ ଏହାପରେ ଆଖିବୁଜା ଗୁଳି ଚଳାଇଥିଲେ ।
ମୃତକଙ୍କ ମଧ୍ୟରେ ଅଧିକାଂଶ ବଲୁଚିସ୍ତାନର ପାଶ୍ଚୁନ ଭାଷାଭାଷୀ ଅଞ୍ଚଳର ଥିଲେ । ଅନ୍ୟ ୩ ମୃତକ ଏବଂ ୪ ଜଣ ଆହତ ଆଫ୍ଗାନର ନାଗରିକ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସଶସ୍ତ୍ର ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସିଯିବା ଆଗରୁ ଖଣି ଏବଂ ମେସିନଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ତେବେ ଏ ପର୍ଯ୍ୟନ୍ତ କେହି ବି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।