ପ୍ରେମିକ ସହ ମିଶି ସ୍ୱାମୀ ଏବଂ ଶାଶୁଙ୍କ ହତ୍ୟା କଲେ ମହିଳା, ଫ୍ରିଜରେ ରଖି ମେଘାଳୟ ଜଙ୍ଗଲରେ ପକାଉଥିଲେ ଖଣ୍ଡ ବିଖଣ୍ଡିତ ଶରୀର
ସ୍ୱାମୀ ଏବଂ ଶାଶୁକୁ ମାରିବା ପରେ ଫ୍ରିଜରେ ଖଣ୍ଡ ବିଖଣ୍ଡିତ ଶରୀରରେ ରଖିଥିଲେ ମହିଳା । ପ୍ରେମିକ ସହିତ ମିଶି ମେଘାଳୟ ଜଙ୍ଗଲରେ ପକାଉଥିଲେ । ଦୀର୍ଘ ୭ ମାସ ପରେ ହେଲା ଖୁଲାସା ।
ଦିଲ୍ଲୀର ଶ୍ରଦ୍ଧା ଓ୍ଵାକର ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଲିଭ-ଇନ ପ୍ରେମିକାର ଶରୀରକୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ପ୍ରେମିକ । ତା’ ପରେ ପ୍ୟାକ୍ କରି ପ୍ରତିଦିନ ଖଣ୍ଡ ଖଣ୍ଡ ଶରୀରକୁ ଜଙ୍ଗଲରେ ପକାଉଥିଲା। ଏବେ ସମାନ ମାମଲା ଗୌହ୍ଵାଟୀରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ନିଜ ପ୍ରେମିକ ସହିତ ମିଶି ସ୍ୱାମୀ ଏବଂ ଶାଶୁକୁ ନୃଂଶସ ଭାବେ ହତ୍ୟା କରି ଫ୍ରିଜରେ ରଖିଥିଲା । ଆଉ ୪ ଦିନ ପରେ ପଲିଥିନକୁ ନେଇ ମେଘାଳୟ ପାହାଡ ଉପରୁ ତଳକୁ ପକାଇଥିଲା। ତେବେ ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ।
ଖବର ମୁତାବକ, ଗୌହ୍ଵାଟୀର ବନ୍ଦନା କଲିତା ନିଜ ସ୍ୱାମୀ ଅମରଜ୍ୟୋତି ଏବଂ ଶାଶୁ ଶଙ୍କରୀଙ୍କୁ ପ୍ରେମିକ ସହିତ ମିଶି ହତ୍ୟା କରିଥିଲେ । ଆଉ ମାରିବା ପରେ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଫ୍ରିଜରେ ରଖିଥିଲା। ଫ୍ରିଜରେ ୩ ଦିନ ପର୍ଯ୍ୟନ୍ତ ରଖିବା ପରେ କାର ଯୋଗେ ମେଘାଳୟକୁ ନେଇ ଅଲଗା ଅଲଗା ସ୍ଥାନରେ ପକାଇଥିଲା ।
ସ୍ୱାମୀ ଏବଂ ଶାଶୁ ନିଖୋଜ ହେବା ଘଟଣା ବିଷୟରେ ବନ୍ଦନା ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ପତ୍ନୀ ବନ୍ଦନାଙ୍କ ଅଭିଯୋଗର କିଛି ସମୟ ପରେ ଅମରଜ୍ୟୋତିଙ୍କ ଦାଦା ପୁଅ ଭାଇ ଥାନାରେ ଅଭିଯୋଗ କରିଥିଲେ। ଯାହାଫଳରେ ପୋଲିସ ଅମରଜ୍ୟୋତିଙ୍କ ପତ୍ନୀ ଉପରେ ସନ୍ଦେହ କରିଥିଲା । ଗୌହ୍ଵାଟୀର ଅଲଗା ଅଲଗା ଘରେ ଦୁହିଁଙ୍କର ହତ୍ୟା କରାଯାଇଥିଲା । ସ୍ୱାମୀ ଏବଂ ଶାଶୁଙ୍କୁ ମାରିବା ପରେ ଖଣ୍ଡ ଖଣ୍ଡ କରି ପଲିଥିନରେ ଭର୍ତ୍ତି କରିଥିଲେ ବନ୍ଦନା ଏବଂ ତାଙ୍କ ପ୍ରେମିକ । ଏହାକୁ ଫ୍ରିଜରେ ରଖିବା ପରେ କାରରେ ନେଇ ମେଘାଳୟର ବିଭିନ୍ନ ସ୍ଥାନରେ ପକାଇଥିଲେ । ପୋଲିସ ଏହାର କିଛି ସୁରାକ ନ ପାଉ ତେଣୁ ଏମିତି କାଣ୍ଡ ରଚିଥିଲେ ବନ୍ଦନା । ଏହି ହତ୍ୟାକାଣ୍ଡ ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ଘଟିଥିଲା ।
ପୋଲିସ ଏବେ ଘଟଣାର ଯାଞ୍ଚ କରି ଶରୀରର କିଛି ଅଂଶ ପାଇଥିବା ବେଳେ ଅନ୍ୟ ଅଂଶ ପାଇଁ ସନ୍ଧାନ ଜାରି ରଖିଛି। ମୃତକ ଅମରଜ୍ୟୋତିଙ୍କ ପତ୍ନୀ ବନ୍ଦନା ଏବଂ ତାଙ୍କର ଦୁଇ ବନ୍ଧୁ ଏହି ଜଘନ୍ୟ ହତ୍ୟାକାଣ୍ଡ କରିଥିବା ନେଇ ପୋଲିସ ସମସ୍ତଙ୍କୁ ଗିରଫ କରିଛି ।